
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍ ସଂକ୍ରମିତ। ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ମାସରେ କରୋନା ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମିତ ହେବା ପୂର୍ବରୁ ସୋନିଆ ଗାନ୍ଧୀ ମେ ମାସରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ପାର୍ଟିର ଚିନ୍ତନ ଶିବିରରେ ସାମିଲ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପାର୍ଟିର ପ୍ରାୟ ସମସ୍ତ ବଡ ନେତା ଯୋଗ ଦେଇଥିଲେ।
ସୂତ୍ର ମୁତାବକ କରୋନା ସଂକ୍ରମିତ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ସମ୍ମୁଖରେ ହାଜର ହୋଇ ତିନି ସପ୍ତାହ ସମୟ ମାଗିଛନ୍ତି। ହେଲେ ଇଡି ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଇଡି ସୋନିଆ ଗାନ୍ଧୀଙ୍କୁ ଜୁନ ୮ରେ ହାଜର ହେବାକୁ ନୋଟିସ୍ ପଠାଇଥିଲା। କଥିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ପକ୍ଷରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା ପାଇଁ ଜୁନ ୧୩ରେ ଡକାଇଛି। ହେଲେ ରାହୁଲ ହାଜର ହେବା ପାଇଁ ଅନ୍ୟ ତାରିଖ ଦେବାକୁ ଅନୁରୋଧ କରିଥିଲେ ଯେ, ସେ ସଂପ୍ରତି ଦେଶ ବାହାରେ। ରାହୁଲ ଗତ ସପ୍ତାହରେ ଭାରତକୁ ଫେରିଛନ୍ତି।