
କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍ଏଲ୍), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍, ଫିଟ୍ନେସ୍ ସାର୍ଟିଫିକେଟ୍ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି । କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଚିଠି ହୋଇଥିଲା । ଏହି ଚିଠି ଆଧାରରେ ପରିବହନ କମିସନର ଉପରୋକ୍ତ ସମସ୍ତ କାଗଜପତ୍ରର ବୈଧତାକୁ ବୃଦ୍ଧି କରିଛନ୍ତି । ଅର୍ଥାତ ଉପରୋକ୍ତ ସମସ୍ତ କାଗଜପତ୍ରର ଯଦି ବୈଧତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଧରାଯିବ । ଏ ସଂକ୍ରାନ୍ତରେ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ଯେଉଁ ଗାଡିର ଫିଟ୍ନେସ୍ ସାର୍ଟିଫିକେଟ୍ର ବୈଧତା ଗତ ୨୦୨୦ ଫେବ୍ର୍ରୁଆରୀ ପହିଲାରୁ ଶେଷ ହୋଇଯାଇଛି ସେହିସବୁ ଡକ୍ୟୁମେଣ୍ଟକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୈଧ ବୋଲି ଧରାଯିବ । ଗୁଡ୍ସ୍ କ୍ୟାରେଜ୍, କଣ୍ଟ୍ରାକ୍ଟ କ୍ୟାରେଜ୍, ଘରୋଇ ଗାଡି, ଶିକ୍ଷାନୁଷ୍ଠାନ ବସ୍ ପରମିଟ୍ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି । ପଞ୍ଜିକରଣ ସାର୍ଟିଫିକେଟ୍, ଏଲ୍ଏଲ୍ ଏବଂ ଡିଏଲ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ନିୟମ ଲାଗୁ ହୋଇଛି । ପୂର୍ବରୁ ଜଣେ ବ୍ୟକ୍ତି ସ୍ଲଟ୍ ବୁକିଂ କରିବାକୁ ଚାହୁଁଥିଲେ ତାଙ୍କୁ ସାତ ଦିନ ସମୟ ଦିଆଯାଉଥିଲା । କିନ୍ତୁ ଏବେ ୩୦ ଦିନ ସମୟ ଦିଆଯିବ । ଏହି ୩୦ଦିନ ମଧ୍ୟରେ ସେ ଯେ କୌଣସି ଗୋଟିଏ ଦିନରେ ସ୍ଲଟ୍ ବୁକିଂ କରିପାରିବେ । ଅନ୍ୟପକ୍ଷରେ ଆରଟିଓମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରିବାକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି ।
ଯଦି ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଲଟ୍ ନମିଳେ ତାହେଲେ ଜଣେ ବ୍ୟକ୍ତି ପାଖ ଆରଟିଓଙ୍କ ନିକଟରେ ସ୍ଲଟ୍ ବୁକିଂ ପାଇଁ ଆବେଦନ କରିପାରିବେ । ଯଦି ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ଆବଶ୍ୟକ ଅର୍ଥ ଜମା କରିବା ପରେ ମଧ୍ୟ ସ୍ଲଟ୍ ବୁକିଂ ହୋଇପାରୁ ନାହିଁ ସେ କ୍ଷେତ୍ରରେ ସ୍ଲଟ୍ ବୁକିଂ ସ୍ଥାନ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ଆରଟିଓଙ୍କୁ ଆବେଦନ କରିପାରିବେ । ଯଦି ଜଣେ ବ୍ୟକ୍ତି ଫ୍ୟାନ୍ସି ନମ୍ବର ବୁକିଂ ପାଇଁ ଆବଶ୍ୟକ ଅର୍ଥ ଜମା କରିଛନ୍ତି କିନ୍ତୁ ଜମାର ୩୦ ଦିନ ମଧ୍ୟରେ ଏ ସଂକ୍ରାନ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିପାରୁ ନାହାନ୍ତି ତାହେଲେ ତାଙ୍କୁ ମଧ୍ୟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯିବ । ସୋଲାସିୟମ୍ ଫଣ୍ଡରୁ ଅର୍ଥ ଦାବି କରୁଥିବା ମୃତକଙ୍କ ପରିବାରର ଲୋକେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରୁ ନାହାନ୍ତି ସେମାନଙ୍କୁ ମଧ୍ୟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି । ତେବେ ଇନସ୍ୟୁନ୍ସ ସାର୍ଟିଫିକେଟ୍ ବୈଧତା, ପ୍ରଦୂଷଣ ସାଟିଫିକେଟ୍ ପ୍ରମାଣପତ୍ର ବୈଧତା ଏବଂ ଅସ୍ଥାୟୀ ପରମିଟ୍ ସାର୍ଟିଫିକେଟ୍ର ବୈଧତା ଯଦି ଉପରୋକ୍ତ ସମୟସୀମା ମଧ୍ୟରେ ଶେଷ ହେଉଥାଏ ତାହେଲେ ଏ କ୍ଷେତ୍ରରେ ଏହି କୋହଳ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ।