ରାଜ୍ୟରେ କଲବଲ୍ କରୁଛି ତାତି, ଟିଟିଲାଗଡ ସବୁଠୁ ଉତ୍ତପ୍ତ
ପ୍ରଚଣ୍ଡ ରୌଦ୍ର ତାପକୁ ନେଇ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ- ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର-ରାଜ୍ୟରେ ଅସମ୍ଭାଳ ତାତି । ତତଲା କଡେଇରେ ସନ୍ତୁଳି ହେଉଛି ପୂରା ରାଜ୍ୟ । ଡହଡହ ଖରାରେ ବିକଳ ହେଉଛନ୍ତି ରାଜ୍ୟବାସୀ ।
୪୦ ଡିଗ୍ରୀ ଉପରେ ରହିଛି ୧୦ ସହର । ୪୩.୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର । ବଲାଙ୍ଗିର ୪୨.୩, ନୂଆପଡ଼ା ଓ ଭବାନୀପାଟଣା ୪୧.୫, ଝାରସୁଗୁଡ଼ା ଓ ସମ୍ୱଲପୁର ୪୧.୨, ହୀରାକୁଦ ୪୧ ଡିଗ୍ରୀ , ସୋନପୁର ୪୦.୪, ମାଲକାନଗିରି ୪୦.୨ ଡିଗ୍ରୀ , କଟକ ୩୫.୮, ଭୁବନେଶ୍ବର ତାପମାତ୍ରା ୩୫.୭ ଡିଗ୍ରୀ ରେକର୍ଡ ହୋଇଛି ।
ଅନ୍ୟପଟେ ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଚଣ୍ଡ ରୌଦ୍ର ତାପକୁ ନେଇ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି। କୁଲିଂ ସିଷ୍ଟମ, ଓଆରଏସ୍ ଦେବା ସହ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତକୁ ନେଇ ସେମିତି କୌଣସି ତଥ୍ୟ ଆସିନାହିଁ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ସାଧାରଣ ଲୋକଙ୍କୁ ଆମେ ସଚେତନ କରୁଛୁ। ପ୍ରଚୁରକୁ ଖରକୁ ଦୃଷ୍ଟିରେ ରଖି ଖରାକୁ ବାହାରିବା ସମୟରେ ଓଦା ଗାମୁଛା ସହ ସାଙ୍ଗରେ ପାଣି ବୋତଲ ନେବା ପାଇଁ ଅପିଲ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। କିଛି ଦିନ ପୂର୍ବରୁ ଅଂଶୁଘାତଜନିତ ମୃତ୍ୟୁକୁ ନେଇ ବାରିପଦାରୁ ଏକ ଅଭିଯୋଗ ଆସିଥିଲା। ତାହାର ବର୍ତ୍ତମାନ ତଦନ୍ତ ଚାଲିଛି। ରିପୋର୍ଟ ଏବେ ସୁଦ୍ଧା ମୋର ହସ୍ତଗତ ହୋଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।


