
ସାଧାରଣ ଜନତାଙ୍କୁ ଖୁବ୍ ଶୀଘ୍ର ପେଟ୍ରୋଲ ଓ ଡିଜେଲ୍ କିଣିବା ଆହୁରି ମହଙ୍ଗା ପଡିପାରେ। ଚଳିତ ମାସ ଶେଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ଏକ ସରକାରୀ ସୂତ୍ର ଅନୁଯାୟୀ, ତୈଳ କମ୍ପାନୀ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ୍ ଦାମ ବଢାଇ ପାରନ୍ତି। ଦେଶର ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ବାକି ୪ ରାଜ୍ୟରେ ମତଦାନ ଶେଷ ହୋଇ ସାରିଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ ୨୯ରେ ମତଦାନ ସହ ନିର୍ବାଚନ ସଂପନ୍ନ ହେବ। ନିର୍ବାଚନ ଚାଲିଥିବା କାରଣରୁ ତୈଳ କମ୍ପାନୀ ତୈଳ ଦର ବଢାଇନଥିଲେ। ସରକାରୀ ସୂତ୍ର ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ୍ ଦାମ ବଢିବାକୁ ଯାଉଛି।
ଏଏନଆଇ ଖବର ମୁତାବକ, ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ୍ ଦାମ୍ରେ ୨ ରୁ ୩ ଟଙ୍କା ବଢିପାରେ। କିନ୍ତୁ ଏହି ଦାମ ଏକା ଥରକେ ବଢିବ ନାହିଁ। ଧିରେ ଧିରେ ହୋଇ ବୃଦ୍ଧି ଘଟିବ। ଉଲ୍ଲେଖନୀୟ ତୈଳ ବଜାରରେ ତେଲ ଚାହିଦାରେ ହ୍ରାସ ଘଟିଛି। ବର୍ତ୍ତମାନ ବ୍ୟାରେଲ ପିଛା ତୈଳ ଦର ୬୬ ଡଲାରରେ ବିକ୍ରି ହେଉଛି।
ଫେବୃଆରୀ ୨୭ରୁ ବଢିନାହିଁ ଦାମ୍
ଏଏନଆଇ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଓ ଡିଜେଲ୍ ଦାମ ଫେବୃଆରୀ ୨୭ରୁ ବଢି ନାହିଁ। ଏହା ମଧ୍ୟରେ ମାର୍ଚ୍ଚ ଓ ଏପ୍ରିଲରେ ଚାରି ଥର ଇନ୍ଧନ ମୂଲ୍ୟ ହ୍ରାସ କରାଯାଇଛି। ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୭୭ ପଇସା ହ୍ରାସ ଘଟିଛି। ଫେବୃଆରୀରେ ଇଣ୍ଡିଆନ ବାସ୍କେଟ୍ ପାଇଁ ଅଶୋଧିତ ତୈଳର ହାରାହାରି ଦର ବ୍ୟାରେଲ୍ ପିଛା ୬୧.୨୨ ଡଲାର ରହିଥିଲା। ମାର୍ଚ୍ଚରେ ଏହା ୬୪.୭୩କୁ ବୃଦ୍ଧି ଘଟିଥିଲା। ଏପ୍ରିଲରେ ଏ ପର୍ଯ୍ୟନ୍ତ ହାରାହାରି ଦର ବ୍ୟାରେଲ୍ ପିଛା ୬୬ ଡଲାର ରହିଛି।