
ଦେଶରେ ପେଟ୍ରୋଲ-ଡିଜେଲ୍ ଏବଂ ସିଏନଜି ଦାମ ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିବାରେ ଲାଗିଛି। ଏହି ଦର ବୃଦ୍ଧିରେ ଜନତା ବେହାଲ। ଯାହାର ପ୍ରଭାବ ସବୁସ୍ତରର ଲୋକଙ୍କ ଉପରେ ପଡୁଛି। ଏହି ପରିପ୍ରେକ୍ଷୀରେ କ୍ୟାବ୍ ଦାମ ବଢାଇବାକୁ ଦାବି କରି ଆସୁଛନ୍ତି ୟୁବର ଏବଂ ଓଲାର ଡ୍ରାଇଭର। ଆଉ ୟୁବର କମ୍ପାନୀ ଏହି ଦାବିକୁ ସ୍ଵୀକାର କରି କରିବା ସହ ଦାମ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ଏବେ ଯାତ୍ରୀଙ୍କ ଉପରେ ପଡିବାକୁ ଯାଉଛି। ଜାରି ପ୍ରେସ ବିଜ୍ଞପ୍ତିରେ ଦକ୍ଷିଣ ଏସିଆ ଏବଂ ଭାରତର ୟୁବର ମୁଖ୍ୟ ନୀତିଶ ଭୁଷଣ କହିଛନ୍ତି, ତେଲ ଦର ବଢିବା ନେଇ ଆମେ ଆମ ଡ୍ରାଇଭରଙ୍କ କଥା ବୁଝି ପାରୁଛୁ। ତେଲ ଦର ଅପ୍ରତ୍ୟାଶିତ ଏମିତି ବଢିବା ନେଇ ସେମାନେ ବହୁତ ଚିନ୍ତିତ। ତେଣୁ ଏହି ଡ୍ରାଇଭରଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ କ୍ୟାବ୍ ଦାମ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ।
ଆଗାମୀ ସମୟରେ ମଧ୍ୟ ଆମେ ତେଲ ଦାମ ଉପରେ ନଜର ରଖିବୁ। ଆବଶ୍ୟକ ପଡିଲେ ଏହା ଉପରେ ନିଷ୍ପତ୍ତି ନେବୁ। ସୂଚନାଯୋଗ୍ୟ, କମ୍ପାନୀ କୌଣସି ନିଷ୍ପତ୍ତି ନନେବାରୁ ଓଲା ଏବଂ ୟୁବର ଡ୍ରାଇଭର ହଡତାଳ କରିଥିଲେ। ଏହା ପରେ ୟୁବର ନିଜ ତରଫରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢାଇ ଦେଇଛି। ତେଣୁ ଏବେ ଯାତ୍ରୀଙ୍କୁ ୟୁବରରେ ଯାତ୍ରା କରିବା ସମୟରେ ୧୨ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ। ଅନ୍ୟପଟେ କମ୍ପାନୀର ଏହି ନିଷ୍ପତ୍ତିରେ ଡ୍ରାଇଭରମାନଙ୍କୁ କିଛି ମାତ୍ରାରେ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି। ୟୁବରର ଏହି ନିଷ୍ପତ୍ତି ଏବେ ଓଲା ଉପରେ ମଧ୍ୟ ପଡିବ। କମ୍ପାନୀ ମଧ୍ୟ ଡ୍ରାଇଭରଙ୍କ ଦାବିକୁ ଆଖି ଆଗରେ ରଖି କ୍ୟାବ ଭଡା ବଢାଇବ।