ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣସ୍ୱତନ୍ତ୍ର

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା

ଅନୁକୂଳର ଦିନଟିଏ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ସବୁ ଅନୁକୂଳର ଦିନଟିଏ । ବୈଶାଖ ଶୁକ୍ଳ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ । ବହୁ କିମ୍ବଦନ୍ତୀ ଏହି ପର୍ବ ସହିତ ଜଡିତ ଅଛି । ଏହି ପର୍ବକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ପାଳନ କରନ୍ତି । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି

ସେହିପରି ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ନୂତନ ଉଦ୍ୟୋଗ, ବିବାହ, ସୁନା କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ଭଳି ମୂଲ୍ୟବାନ ପୁଞ୍ଜି ବିନିଯୋଗ ଏବଂ ଯେକୌଣସି ନୂତନ ଆରମ୍ଭ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

Show More

Related Articles

Back to top button