
ଗୁଆହାଟୀ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସ୍ଥାନୀୟ ବର୍ଷାପଡ଼ା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ଏହା ପୂର୍ବରୁ ଥିରୁଅନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ସହଜରେ ମ୍ୟାଚ୍କୁ ଜିତିନେଇଥିଲା। ଘରୋଇ ଦଳ ୧-୦ରେ ଅଗ୍ରଣୀ ରହିଥିଲାବେଳେ ଏଠାରେ ଦ୍ୱିତୀୟ ମ୍ୟାଚ୍ ଜିତି ପ୍ରଥମଥର ଭ୍ରମଣକାରୀ ଦଳ ବିପକ୍ଷରେ ଟି-୨୦ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଦଳର ଏହି ବିଜୟରେ ପ୍ରଥମ ମ୍ୟାଚ୍ରେ ହିରୋ ସାଜିଥିବା ପେସ୍ ବୋଲରମାନେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି। ଥିରୁଅନନ୍ତପୁରମରେ ଫାଷ୍ଟ ପିଚ୍ରୁ ପୂରା ଫାଇଦା ଉଠାଇଥିଲେ ଭାରତୀୟ ପେସ୍ ବୋଲର। ଯାହା ଫଳରେ ଦଳକୁ ମ୍ୟାଚ୍ ଜିତିବା ସହଜ ହୋଇଯାଇଥିଲା। ଗୁଆହାଟୀରେ ସେଭଳି କିଛି ଆଶା କରାଯାଉ ନାହିଁ। ଭାରତୀୟ ଦଳ ପୁଣିଥରେ ଟସ୍ ଜିତିବ ବୋଲି ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। ଏଭଳି ସ୍ଥିତିରେ ଦଳରେ ଦୁଇ ବରିଷ୍ଠ ପେସ୍ ବୋଲରଙ୍କ ଅନୁପସ୍ଥିତି ରହିଛି। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିଲାବେଳେ ପିଠିରେ ଆଘାତ ଲାଗିଥିବାର ଯଶ୍ପ୍ରୀତ୍ ବୁମ୍ରାଙ୍କୁ ଶେଷ ଦୁଇଟି ଟି-୨୦ରୁ ବାଦ୍ ଦିଆଯାଇଛି। ମହମ୍ମଦ୍ ସାମି କୋଭିଡ୍ ଆକ୍ରାନ୍ତରୁ ମୁକ୍ତିପାଇଥିଲେ ମଧ୍ୟ ଏବେ ମ୍ୟାଚ୍ ଫିଟ ହେବା ସମ୍ଭବ ନୁହେଁ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ସିରିଜ୍ ଖେଳୁ ନାହାନ୍ତି। ଏଭଳି ସମୟରେ ବୁମ୍ରାଙ୍କ ଆହତ ସମସ୍ୟା ଭାରତର ସମୀକରଣକୁ ଏପଟ ସେପଟ କରିଦେଇଛି।