ଅନ୍ୟ ସହରାଞ୍ଚଳରେ ଯୋଗାଣ ହ୍ରାସ ଲାଗି କେଜି ପିଛା ଦର ୧୦୦ ଟଙ୍କାକୁ ପହଞ୍ଚି ଯାଇଛି। କେବଳ ଟମାଟୋ ନୁହେଁ ସବୁଜ ପନିପରିବା ଦର ମଧ୍ୟ ବଢିଛି। ଯାହା ଆଗକୁ ହ୍ରାସ ପାଇବ ତାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଖାଦ୍ୟ ତୈଳ ମୂଲ୍ୟ ବୃଦ୍ଧି ପ୍ରଥମରୁ ରୋଷେଇଶାଳକୁ ପ୍ରଭାବିତ କରି ରଖିଥିଲା। ଏଥିରେ ଟମାଟୋ ଓ ସବୁଜ ପନିପରିବା ଦର ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡା ପାଲଟିଛି।
ଦିଲ୍ଲୀରେ ଲେମ୍ବୁ କେଜି ପିଛା ଦର ୨୦୦ରୁ ୨୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ବାଇଗଣ ୬୦ରୁ ୮୦, ଫୁଲକୋବି ୧୦୦ରୁ ୧୨୦, ପିଆଜ ଓ ଆଳୁ ୪୦ ଟଙ୍କା, ଶିମଲା ଲଙ୍କା ୧୦୦, ଗାଜର ୮୦ ଓ ପାଳଙ୍ଗ କେଜି ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି। କେବଳ ପନିପରିବା କି ରୋଷେଇ ତେଲ ଓ ଗ୍ୟାସ୍ ନୁହେଁ ବଜାରରେ ମସଲା ମସଲି ଦର ମଧ୍ୟ ଅଚାନକ ବଢି ଯାଇଛି। ଏଥିରେ ଲାଲ ଲଙ୍କା କେଜି ପିଛା ୧୪୦ରୁ ୨୪୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଜିରା ୧୬୦ରୁ ୨୪୦, ଜୁଆଣୀ ୧୭୦ରୁ ୨୬୦, ଧଣିଆ ୭୦ରୁ ୧୦୦ ଓ ୧୮୦, ପାନମଧୁରି ୨୦୦ରୁ ୨୫୦ ଓ ଗୋଲମରିଚ କେଜି ପିଛା ୪୮୦ରୁ ୬୦୦ ଟଙ୍କା ଦରରେ ବିକ୍ରି ହେଉଛି।