Breaking PLUSଦେଶମୁଖ୍ୟ ଖବର

ପୁଣି ଆରମ୍ଭ ହେଲା ଟ୍ରେନ୍‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ

ଏଥର ଟ୍ରେନରେ ଯାତ୍ରୀ ମାନଙ୍କୁ ପୁଣି ମିଳିବ ରନ୍ଧା ଖାଦ୍ୟ । ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଣ ପୁନଶ୍ଚ ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ପରେ ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରୁଛି ।

ଟ୍ରେନରେ ରନ୍ଧା ଖାଦ୍ୟ ନ ମିଳିବା ନେଇ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ବୋର୍ଡ ପକ୍ଷରୁ ଆଇଆରସିଟିସିକୁ ନିର୍ଦ୍ଦେଶ ଦିଆଯାଇଛି ।

ରେଳ ବୋର୍ଡର ସୂଚନା ଅନୁସାରେ, ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପୂର୍ବଭଳି ରେଡି-ଟୁ-ଇଟ୍ ‌ମିଲ୍‌ ଦିଆଯିବ । ରେଡି-ଟୁ-ଇଟ୍‌ ମିଲ୍ ମଧ୍ୟରେ ମିଳୁଛି ନୁଡୁଲ୍‌ସ, ରାଜ୍‌ମା-ଚାୱଲ୍ ଓ ସୁପ୍ । କୋଭିଡ୍ ସ୍ଥିତିରେ ସୁଧାର ହେବା ପରେ ହୋଟେଲ୍‌ ଓ ରେସ୍ତୋରାଁ ଗୁଡ଼ିକ ଉପରେ ଲଗାଯାଇଥିବା କଟକଣା କୋହଳ ହୋଇଛି । ସେଥିପାଇଁ ଟ୍ରେନ୍‌ରେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଟ୍ରେନ୍ ଭି୍ତରେ କେବଳ ଚା’ ଓ କଫି, ସ୍ନାକ୍ସ ଓ ପ୍ୟାକେଟ୍‌ରେ ଭର୍ତ୍ତି ରହିଥିବା ରେଡି-ଟୁ-ଇଟ୍‌ ମିଲ୍‌ ଦିଆଯାଉଛି । କେବଳ ଦୂରଗାମୀ ଟ୍ରେନ୍‌ରେ ଏହି ଭୋଜନ ମିଳୁଛି ।

କୋଭିଡ୍‌ ମହାମାରୀ ବ୍ୟାପିବା ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ କଟକଣା ଲଗାଯାଇଥିଲା । କେବଳ କୋଭିଡ୍ ସ୍ୱତନ୍ତ୍ର ଓ ଛୁଟି ଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । କୋଭିଡ୍ ସ୍ଥିତିରେ ସୁଧାର ହେଉଥିବାରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଛି । ଗତବର୍ଷ ମହାମାରୀ ବ୍ୟାପିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଖାଦ୍ୟ ଯୋଗାଣ, ବେଡ୍‌ରୋଲ୍, କମ୍ବଳ ଆଦି ଯୋଗାଣ ଉପରେ କଟକଣା ଜାରି କରାଯାଇଥିଲା । ଖାଦ୍ୟ ଯୋଗାଣ ଉପରେ କଟକଣା ଲାଗିବା ପରେ ସେହି ବ୍ୟବସ୍ଥା ସହ ଜଡ଼ିତ ଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ ।

Show More

Related Articles

Back to top button