
ନୂଆଦିଲ୍ଲୀ: ଭାରତର ସିନିୟର ସ୍କ୍ୱାଡରେ ସାମିଲ ହୋଇ ଏକାଧିକ ମ୍ୟାଚ୍ ଖେଳି ସାରିଥିବା ଶେଫାଳି ବର୍ମା ଏବେ ଅଣ୍ଡର ୧୯ ମହିଳା ବିଶ୍ୱକପରେ ଟିମ୍ର ନେତୃତ୍ୱ ନେବେ। ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପରେ ଭାରତୀୟ ଅଣ୍ଡର ୧୯ ଟିମ ଶେଫାଳି ବର୍ମାଙ୍କ କ୍ୟାପ୍ଟେନ୍ସିରେ ଖେଳିବ। ଶେଫାଳି ସିନିୟର ଟିମ ସହ ଖେଳୁଥିବାରୁ ଅଣ୍ତର ୧୯ ବିଶ୍ୱକପରେ ଏହା ଭାରତୀୟ ମହିଳା ଦଳକୁ ନିଶ୍ଚିତ ଭାବେ ଫାଇଦା ଦେବ ବୋଲି ଆଶା କରାଯାଉଛି। ଶେଫାଳି ବର୍ମାଙ୍କ ବ୍ୟତୀତ ସିନିୟର ଟିମ ସହ ଖେଳିଥିବା ରିଚା ଘୋଷଙ୍କ ନାଁ ମଧ୍ୟ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛି।
ସୋମବାର ଅଲଇଣ୍ଡିଆ ୱେମନ ସିଲେକସନ କମିଟି ଭାରତର ଅଣ୍ଡ ୧୯ ମହିଳା ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଏହି ସ୍କ୍ୱାଡରେ ଶେଫାଳିଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଥିବା ବେଳେ ଶ୍ୱେତା ଶେରାୱତ ଉପ ଅଧିନାୟକ ହୋଇଛନ୍ତି। ରିଚା ଘୋଷ ଉଭୟ ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୱିକେଟ କିପର ଦାୟିତ୍ୱରେ ରହିବେ।
ପ୍ରଥମଥର ପାଇଁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ ୧୬ଟି ଟିମ ଭାଗ ନେବେ। ଜାନୁଆରୀ ୧୪ରୁ ୨୯ ତାରିଖ ଯାଏ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଭାରତୀୟ ମହିଳା ଟିମ ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପରେ ଭାରତ ବ୍ୟତୀତ ଆୟୋଜକ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି।
ପ୍ରତି ଗ୍ରୁପରୁ ଟପ ୩ଟି ଲେଖାଏଁ ଦଳ ସୁପର ସିକ୍ସକୁ ଯିବେ। ସେଠାରେ ୬ଟି ଲେଖାଏ ଦଳକୁ ନେଇ ୨ଟି ଗ୍ରୁପ ତିଆରି ହେବ। ପ୍ରତି ଗ୍ରୁପରୁ ଟପ୍ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଯିବେ। ୨୭ ତାରିଖରେ ୨ଟି ଯାକ ସେମି ଫାଇନାଲ ଓ ୨୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।