ଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ମୁମ୍ବାଇ: ସିନେମା ଜଗତର ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବିକ୍ରମ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।

ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ପୁଣେରେ ଥିବା ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ଅବସ୍ଥା ମଧ୍ୟ ଧୀରେଧୀରେ ସୁଧୁରିବାରେ ଲାଗିଥିଲା। କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବା ଆରମ୍ଭ କରିଥିଲା। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ବିକ୍ରମ ଗୋଖଲେ ପରପାରିକୁ ଚାଲି ଯାଇଛନ୍ତି।

ବିକ୍ରମ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଅମିତାଭ ବଚ୍ଚନଙ୍କ ଅଗ୍ନିପଥ ଓ ସଞ୍ଜୟ ଲୀଲା ବଂଶାଲୀଙ୍କ ହମ ଦିଲ୍‌ ଚୁକେ ସନମରେ ତାଙ୍କ ଅଭିନୟ ଆଜି ଯାଏ ଲୋକମାନେ ମନେ ରଖିଛନ୍ତି। ଏହାବାଦ ମିଶନ ମଙ୍ଗଲ, ହିଚକି, ୟାରି, ବାଙ୍ଗ ବାଙ୍ଗ, ଦେ ଦନା ଦନ ଓ ଭୂଲ ଭୂଲେୟାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୦ ବର୍ଷ ଧରି ସିନେମା ଜଗତ ସହ ଜଡ଼ିତ ଥିବା ବିକ୍ରମ ଗୋଖଲେ ଏକାଧିକ ଟିଭି ଶୋ’ରେ ମଧ୍ୟ ନଜର ଆସିଥିଲେ।

୧୯୭୧ରେ ଅମିତାଭ ବିଚ୍ଚନଙ୍କ ଫିଲ୍ମ ପରୱାନାରେ ବିକ୍ରମ ଗୋଖଲେ ଡେବ୍ୟୁ କରିଥିଲେ। ୨୦୧୦ରେ ମରାଠୀ ଫିଲ୍ମ ଅନୁମତି ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ମରାଠୀ ଫିଲ୍ମ ଆଘାତର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଗୋଖଲେ ତୁଲାଇ ଥିଲେ।

ଶେଷଥର ପାଇଁ ତାଙ୍କୁ ମରାଠୀ ଫିଲ୍ମ ଗୋଦାବରୀରେ ଦେଖିବାକୁ ମିଳିଥିଲା। ଚଳିତର୍ଷ ସେ ଶିଳ୍ପା ସେଟ୍ଟୀଙ୍କ ନିକମ୍ମାରେ ମଧ୍ୟ ଅଭିନୟ କରି ସମସ୍ତଙ୍କ ଦୃଦୟ ଜିତିଥିଲେ। ଆଜି ତାଙ୍କ ବିୟୋଗରେ ପୂରା ସିନେମା ଜଗତ ସ୍ତବ୍ଧ ହୋଇଯାଇଛି। ଅନେକ ଫିଲ୍ମ ନିର୍ମାତା, ଅଭିନେତା, ଅଭିନେତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ବିକ୍ରମ ଗୋଖଲେଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

Show More

Related Articles

Back to top button