
ପାଖେଇ ଆସୁଛି କଟକ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଚଳିତ ବର୍ଷ କିଛି ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିବ । ମହାନଦୀରେ ବୋଟିଂ ସାଙ୍ଗକୁ ଲାଇଟ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ । ଦୀର୍ଘ ୨ବର୍ଷ ବ୍ୟବଧାନ ପରେ ଯାତ୍ରା ହେଉଥିବାରୁ ଅନେକ ସଂଖ୍ୟକ ଭିଡ ହେବାର ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
ସେହିପରି ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ କଟକ ସହରର ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଢାଞ୍ଚାରେ ରେପ୍ଲିକା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । “କଟକ ଇନ କଟକ” ନାମରେ ତଳ ପଡ଼ିଆର ଦଶ ଏକର ଅଞ୍ଚଳ ଭିତରେ ତିଆରି ଚାଲିଛି ଅନେକ ନୂଆ ଡିଜାଇନ ଯାହା ଆକର୍ଷଣର ଅନ୍ୟତମ କେନ୍ଦ୍ର ବିନ୍ଦୁ ହେବାକୁ ଯାଉଛି । ଭିନ୍ନକ୍ଷମ ତଥା ବୟସ୍କ ମାନଙ୍କ ବାଲିଯାତ୍ରା ବୁଲିବା ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ନାମରେ ଏକ ପ୍ରବେଶ ପଥର ନାମକରଣ ସହ ଏକ ତୋରଣ ନିର୍ମିତ ହେବାକୁ ଯାଉଛି ।