ମଣିପୁରରେ ପୁନର୍ବାର ହିଂସା: ଉଖ୍ରୁଲ ଓ କାଙ୍ଗପୋକ୍ପିରେ ଗୁଳିକାଣ୍ଡ, ୩ ମୃତ

ଇମ୍ଫାଲ: ମଣିପୁରର ଉଖ୍ରୁଲ ଜିଲାରେ ଶୁକ୍ରବାର ନାଗା ଓ କୁକି ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ଘଟି ଅନୂନ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ, ମୁଲ୍ଲାମ୍ ଗ୍ରାମ ନିକଟରେ ଏହି ହିଂସାକାଣ୍ଡ ଘଟିଥିଲା ଏବଂ ସୁରକ୍ଷା ବଳ ୨ଟି ମୃତଦେହ ଜବତ କରିଛି।
ନାଗାଲାଣ୍ଡ ଓ ମ୍ୟାନ୍ମାର ସୀମାକୁ ଲାଗିଥିବା ଉଖ୍ରୁଲ୍ ଜିଲାରେ ତାଙ୍ଗଖୁଲ୍ ନାଗା ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ବସବାସ କରନ୍ତି। ସେମାନଙ୍କର କୁକି ସମ୍ପ୍ରଦାୟ ସହ ପୁରୁଣା ବିବାଦକୁ କେନ୍ଦ୍ର କରି ଏହି ହିଂସା ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରୁ ଏଲ୍. ସିତ୍ଲୋଉ ଓ ପି. ହାଇଲାଇଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
ଶୁକ୍ରବାର ସକାଳେ ମୁଲ୍ଲାମ ଗ୍ରାମ ପାଖରେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ହିଂସା ସମୟରେ ପାର୍ବତ୍ୟାଞ୍ଚଳର ଅନେକ ଘରକୁ ନିଆଁ ଲଗାଇ ଦିଆଯାଇଥିବାରୁ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଏହି ଘଟଣାକୁ ନିନ୍ଦା କରି କୁକି ମାନବାଧିକାର ମହିଳା ସଂଗଠନ କହିଛି ଯେ, ଶାନ୍ତିପୂର୍ଣ୍ଣ ଗ୍ରାମଗୁଡ଼ିକ ଉପରେ ଏଭଳି ସଶସ୍ତ୍ର ଆକ୍ରମଣ ଭୀରୁତାର କାର୍ଯ୍ୟ। ସଂଗଠନର ଅଭିଯୋଗ ଅନୁସାରେ, ନିରୀହ ଲୋକେ ଘରେ ଥିବାବେଳେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ୨ ଜଣ କୁକି ଗ୍ରାମ ସ୍ୱେଚ୍ଛାସେବୀ ନିହତ ହୋଇଛନ୍ତି। ଘରକୁ ନିଆଁ ଲଗାଇଦେବାରୁ ମହିଳା ଓ ଶିଶୁମାନଙ୍କ ସହ ଅନେକେ ଆହତ ହୋଇଛନ୍ତି।
ଗ୍ରାମବାସୀ ଆତ୍ମରକ୍ଷା ପାଇଁ ଲାଇସେନ୍ସପ୍ରାପ୍ତ ଶିକାର ବନ୍ଧୁକ ବ୍ୟବହାର କରିଥିବା ବେଳେ ଏଥିରେ ଜଣେ ଆକ୍ରମଣକାରୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ, ୨୦୨୩ ମେ’ରୁ ମଣିପୁରରେ ଜାତିଆଣ ହିଂସା ଲମ୍ବା ସମୟ ଧରି ଚାଲିଥିଲା ଏବଂ ୨୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଇସ୍ତଫା ପରେ ରାଜ୍ୟରେ ବର୍ଷେକ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରେ ନୂଆ ସରକାର ଗଢ଼ିଉଠିଥିବା ସତ୍ତ୍ୱେ ପୁନର୍ବାର ହିଂସା ମୁଣ୍ଡ ଟେକିଛି।
ଗତ ୨ ସପ୍ତାହ ମଧ୍ୟରେ ୩ଟି ହିଂସା ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବାବେଳେ ଏହା ବିରୋଧରେ ରାଜ୍ୟର ୫ଟି ଜିଲାରେ ବିକ୍ଷୋଭ ଓ ବନ୍ଦ ପାଳନ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଢ଼ା କରାଯାଇଛି।



