ମହାନଦୀ ଜଳ ବିବାଦକୁ ନେଇ ସରକାର ଉପରେ ବର୍ଷିଲେ ସସ୍ମିତ ପାତ୍ର, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ମେଟ୍ରୋ ଓ ସିଜିମାଳୀ ପ୍ରସଙ୍ଗ ପରେ ଏବେ ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଟ୍ରିବ୍ୟୁନାଲ୍ର ସମ୍ପ୍ରତିକ ନିର୍ଦ୍ଦେଶନାମାକୁ ଉଲ୍ଲେଖ କରି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିସ୍ତୃତ ଚିଠି ଲେଖିବା ସହ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସରକାରଙ୍କ କାର୍ଯ୍ୟପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ସସ୍ମିତ ପାତ୍ର କହିଛନ୍ତି ଯେ, ୨୦ ଏପ୍ରିଲ ୨୦୨୬ରେ ହୋଇଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ର ଶୁଣାଣିରେ ମାମଲାର ପରିଚାଳନା ଶୈଳୀ ଉପରେ ଟ୍ରିବ୍ୟୁନାଲ୍ ଗଭୀର ଅସନ୍ତୋଷ ପ୍ରକାଶ କରିଛି। କାର୍ଯ୍ୟଧାରାରେ ମନ୍ଥରତା, ବାରମ୍ବାର ସ୍ଥଗିତ ଏବଂ ପକ୍ଷମାନଙ୍କ ଦ୍ୱାରା ପୁନଃପୁନି ସମୟ ମାଗାଯାଉଥିବା ପ୍ରବୃତ୍ତିକୁ ଟ୍ରିବ୍ୟୁନାଲ୍ କଟାକ୍ଷ କରିଛି। ଏପର୍ଯ୍ୟନ୍ତ କୌଣସି ଦୃଢ଼ ପ୍ରସ୍ତାବ ରେକର୍ଡରେ ନଥିବାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରାଯାଇଛି।
ସେ ଅଭିଯୋଗ କରିଛନ୍ତି ଯେ, ୮ ଏପ୍ରିଲ ୨୦୨୬ରେ ହୋଇଥିବା ବୈଠକର ବିବରଣୀକୁ ୧୧ ଏପ୍ରିଲ ସୁଦ୍ଧା ଚୂଡ଼ାନ୍ତ କରିବାକୁ ଯେ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ ହୋଇନାହିଁ। ଏହା ଫଳରେ ଓଡ଼ିଶାର ପକ୍ଷରେ ପ୍ରମାଣଭିତ୍ତିକ ଯୁକ୍ତି ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି।
ସସ୍ମିତ ପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବାର୍ଷିକ ଜଳ ଉପଲବ୍ଧତା ସମ୍ପର୍କିତ ନିଷ୍ପତ୍ତି ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରାଜ୍ୟର ଜଳ ବଣ୍ଟନ, ବ୍ୟବହାର ଅଧିକାର ସହିତ ସିଧାସଳଖ ଜଡ଼ିତ ଥିବାବେଳେ ଏହାର ପ୍ରଭାବ ଚାଷ, ପାନୀୟ ଜଳ ଓ ପରିବେଶ ସୁରକ୍ଷା ଉପରେ ପଡ଼ୁଛି।
ସେ ଆହୁରି କହିଛନ୍ତି ଯେ, ଏହି ବିବାଦର ସମାଧାନ ପାଇଁ ଛତିଶଗଡ଼ ସରକାର ସହ ଉଚ୍ଚସ୍ତରୀୟ ରାଜନୈତିକ ଓ ପ୍ରଶାସନିକ ଆଲୋଚନା ଆବଶ୍ୟକ। ତୁରନ୍ତ ଏକ ବୈଠକ ଡାକି ସମସ୍ତ ପକ୍ଷକୁ ନେଇ ଏକ ସଂଗଠିତ ରଣନୀତି ତିଆରି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ମେ’ ୨ ସୁଦ୍ଧା ଯଦି ଟ୍ରିବ୍ୟୁନାଲ୍କୁ ଆବଶ୍ୟକ ତଥ୍ୟ ଓ ଯୁକ୍ତି ଦାଖଲ କରାଯିବ ନାହିଁ, ତେବେ ମାମଲାର ଗୁରୁତ୍ୱ କ୍ଷୀଣ ହେବା ସହ ଓଡ଼ିଶାର ହିତ ଗୁରୁତର ଭାବେ ପ୍ରଭାବିତ ହେବ।
ଶେଷରେ ସସ୍ମିତ ପାତ୍ର ସପଷ୍ଟ କରି କହିଛନ୍ତି ଯେ, ଯଦି ଏହି ବିଷୟରେ ସତ୍ବରା ଏବଂ ଦୃଢ଼ ପଦକ୍ଷେପ ଗ୍ରହଣ ନହୁଏ, ତେବେ ମହାନଦୀ କ୍ଷତିଗ୍ରସ୍ତ ହେବା ସହ ଓଡ଼ିଶା ଓ ଏଠାର ଲୋକମାନେ ମଧ୍ୟ ଭାରୀ କ୍ଷତିର ସମ୍ମୁଖୀନ ହେବେ।



