ଓଡ଼ିଶାରେ ଶିଳ୍ପ ବିପ୍ଲବର ନୂତନ ଯୁଗ: ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଅର୍ଥନୀତି ଲକ୍ଷ୍ୟ

ସମ୍ବଲପୁର: ପ୍ରାକୃତିକ ସମ୍ପଦ ଓ ପ୍ରଚୁର ମାନବ ସମ୍ବଳରେ ସମୃଦ୍ଧ ଓଡ଼ିଶା ଆଗାମୀ ଦିନରେ ଦେଶର ଅଗ୍ରଣୀ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ରାଜ୍ୟକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ସହ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର ଅର୍ଥନୀତି ଗଢ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି, ଏହି ଲକ୍ଷ୍ୟ ପାଇଁ ଓଡ଼ିଶାରେ ଶିଳ୍ପ ବିକାଶର ଏକ ନୂତନ ଯୁଗର ଆରମ୍ଭ ହୋଇଛି, ଯାହା ରାଜ୍ୟକୁ ‘ଗ୍ରୋଥ୍ ଇଞ୍ଜିନ୍’ ଭାବେ ପରିଚିତ କରିବ।
ସମ୍ବଲପୁର ଜିଲ୍ଲାର ଠେଲକୋଲୋଇରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ କାରଖାନା ପରିସରରେ ଜାପାନର ଜେ ଏଫ୍ଇ ଷ୍ଟିଲ ସହ ଯୁଗ୍ମ ଉଦ୍ୟମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହି ମତ ପ୍ରକାଶ କରିଥିଲେ। ସେ କହିଥିଲେ, ଓଡ଼ିଶା ଆଗାମୀ କିଛିବର୍ଷରେ ଭାରତର ଇସ୍ପାତ ରାଜଧାନୀ ଭାବେ ଉଦୟ ହେବ। ବର୍ତ୍ତମାନ ପ୍ରତିବର୍ଷ ୪୦ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ଆସନ୍ତା ୫ ବର୍ଷରେ ଏହାକୁ ୧୦୦ ମିଲିୟନ୍ ଟନ୍ କରିବାକୁ ଲକ୍ଷ୍ୟ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଶ ଆହ୍ୱାନ ପରେ ଭୁବନେଶ୍ୱରରେ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୨.୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ବର୍ତ୍ତମାନ କାର୍ଯ୍ୟରତ ଅଛି। ଏହି ବିପୁଳ ନିବେଶ ଫଳରେ ଆଗାମୀ କିଛିବର୍ଷରେ ପ୍ରାୟ ୨.୫ ଲକ୍ଷ ରୋଜଗାର ସୃଷ୍ଟି ହେବାକୁ ଥିବାବେଳେ, ଏପର୍ଯ୍ୟନ୍ତ ୯୨ ହଜାର ନିଯୁକ୍ତି ସୃଷ୍ଟି ହୋଇସାରିଛି।
ଜେଏସ୍ଡବ୍ଲ୍ୟୁ–ଜେ ଏଫ୍ଇ ଯୁଗ୍ମ ଉଦ୍ୟମରେ ଇଲେକ୍ଟ୍ରିକାଲ ଷ୍ଟିଲ ଉତ୍ପାଦନ ହେବ, ଯାହା ଆଧୁନିକ ପାୱାର ସିଷ୍ଟମ୍ ଓ ଇଲେକ୍ଟ୍ରିକ୍ ବାହନ ପାଇଁ ଅତ୍ୟାବଶ୍ୟକ। ଏହା ସହିତ ଏହି ପ୍ରକଳ୍ପକୁ କେନ୍ଦ୍ର କରି ଅନେକ ସହଯୋଗୀ କମ୍ପାନୀ ଗଢ଼ିଉଠୁଛନ୍ତି, ଯାହା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବଡ଼ ଉତ୍ସାହ ଦେବ। ଏପର୍ଯ୍ୟନ୍ତ ୧୫ଟି ସହଯୋଗୀ କମ୍ପାନୀ ପ୍ରସ୍ତାବ ଦେଇଥିବା ବେଳେ, ୫ଟି କମ୍ପାନୀ କାମ ଆରମ୍ଭ କରିସାରିଛି।
ରାଜ୍ୟ ସରକାର ପ୍ରୋ-ଇଣ୍ଡଷ୍ଟ୍ରି ନୀତି ଅନୁସରଣ କରୁଥିବା ବେଳେ ଆଗାମୀ ୧୦ ବର୍ଷରେ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଢ଼ିବା ଲକ୍ଷ୍ୟ ନେଇଛି। କୃଷିଭିତ୍ତିକ ଅର୍ଥନୀତିକୁ ମଜବୁତ କରିବା ପାଇଁ ୨୦% ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିସହ ରାଜ୍ୟକୁ ପୂର୍ବ ଭାରତର ମାନ୍ୟୁଫେକଚରିଂ ହବ୍ ଭାବେ ଗଢ଼ି ତୋଳିବା ପ୍ରୟାସ ଜାରି ରହିଛି।
ଖଣିଜ ସମ୍ପଦ ଆଧାରିତ ଶିଳ୍ପ ସହ ଏବେ ଜ୍ଞାନ ଆଧାରିତ ଶିଳ୍ପ, ଫାର୍ମା, ସେମିକଣ୍ଡକ୍ଟର, ଟେକ୍ସଟାଇଲ ଭଳି ୧୬ଟି ନୂତନ କ୍ଷେତ୍ରରେ ବିକାଶ କରାଯିବ। ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିବା ବେଳେ, ୨୪ଟି ଜିଲ୍ଲାରେ ଏହା ଆରମ୍ଭ ହୋଇସାରିଛି।
ଏହାସହ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ଗଢ଼ିଉଠିବ, ଯେଉଁଠାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ଓ ୨ ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହେବ।
ସମାରୋହରେ ସମ୍ବଲପୁର ସାଂସଦ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏହି ଯୁଗ୍ମ ଉଦ୍ୟମ ଭାରତ-ଜାପାନ ଶିଳ୍ପ ସହଯୋଗକୁ ଆରୋ ମଜବୁତ କରିବ। ଟେକ୍ନୋଲୋଜି ଭିତ୍ତିକ ଆଧୁନିକ ଇସ୍ପାତ ଉତ୍ପାଦନରେ ଏହା ଓଡ଼ିଶାର ଅଭିବୃଦ୍ଧିକୁ ତ୍ବରାନ୍ୱିତ କରିବ ବୋଲି ସଜ୍ଜନ ଜିନ୍ଦଲ କହିଥିଲେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ଜାପାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।


