ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିଲା ଆମ୍ବୁଲାନ୍ସ, ଦୁର୍ଘଟଣାରେ ୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରେ ରବିବାର ସକାଳେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସଟି ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିଲା। ଦୁର୍ଘଟଣା ପରେ ପୁଲିସ ଓ ଏକ୍ସପ୍ରେସ୍ୱେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ସୂଚନା ଅନୁଯାୟୀ, ହାଲିଆପୁର ଥାନା ଅଞ୍ଚଳର ଜରାଇ କାଲା ନିକଟରେ ସକାଳ ପ୍ରାୟ ୮ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସରେ ସୁବେଦାର ସତ୍ୟବାନ ସିଂହଙ୍କ ପାର୍ଥିବ ଶରୀର ଲକ୍ଷ୍ନୌରୁ ଗାଜିପୁର ନିଆଯାଉଥିଲା। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ।
ଏକ୍ସପ୍ରେସ୍ୱେ କର୍ମଚାରୀଙ୍କ କହିବା ଅନୁସାରେ, ଦୁଇଟି ମୃତଦେହକୁ ପିଥାଲା ହସ୍ପିଟାଲକୁ ପଠାଯାଇଛି। ଆମ୍ବୁଲାନ୍ସ ଭିତରେ ଡ୍ରାଇଭରଙ୍କ ମୃତଦେହ ଫସି ରହିଥିବାରୁ ତାହାକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ଉଦ୍ୟମ କରିବାକୁ ପଡ଼ିଥିଲା।
ସତ୍ୟବାନ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଚଣ୍ଡିଗଡ଼ରୁ ଲକ୍ଷ୍ନୌ ଦେଇ ଦେଓରିଆ ନିଆଯାଉଥିଲା। ଘଟଣାର କାରଣ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।



