କ୍ଷେତରେ ଜଗିଥିଲା ମୃତ୍ୟୁର ଫାଶ, କରେଣ୍ଟ ତାରରେ ୩ ମୃତ

ସୀତାମଢ଼ି: ବୁଲା ପଶୁଙ୍କଠାରୁ ଫସଲ ରକ୍ଷା ପାଇଁ ଜମି ଚାରିପଟେ ବିଛାଯାଇଥିଲା ବିଦ୍ୟୁତ୍ ତାର। ହେଲେ ଏହି ତାର ହିଁ ନେଇଗଲା ୩ ଜଣଙ୍କ ଜୀବନ। ବିହାରର ସୀତାମଢ଼ି ଜିଲା ବୈରଗନିଆ ବ୍ଲକ ଅନ୍ତର୍ଗତ ଚକୱା ପଞ୍ଚାୟତର ଟାକିଆ ଟୋଲାରେ ଘଟିଛି ଏହି ଦୁଃଖଦ ଘଟଣା। ଆଉ ଜଣେ ବ୍ୟକ୍ତି ଗୁରୁତର ଦଗ୍ଧ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପୁଲିସ ଅନୁସାରେ, ରୋବାଇଦା ଖାତୁନ, ତାଙ୍କ ସ୍ୱାମୀ ସଲାମ ମନସୁରୀ, ହସମତ ଅଲୀ ଓ ସୈଫ ଅଲୀ ଦୈନନ୍ଦିନ ଚାଷ କାମ ପାଇଁ କ୍ଷେତକୁ ଯାଇଥିଲେ। ଅଜାଣତରେ ସେମାନେ ନିକଟସ୍ଥ ଜମି ଚାରିପଟେ ଲଗାଯାଇଥିବା ବିଦ୍ୟୁତ୍ ଚାଳିତ ତାରବାଡ଼ ସଂସ୍ପର୍ଶରେ ଆସିଥିଲେ। ଉଚ୍ଚ ଭୋଲ୍ଟେଜ୍ କରେଣ୍ଟ ଯୋଗୁଁ ରୋବାଇଦା, ସଲାମ ଓ ହସମତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ସୈଫ ଅଲୀଙ୍କ ଶରୀରରେ ଗଭୀର ପୋଡ଼ା ଆଘାତ ହୋଇଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ବୈରଗନିଆ ଥାନା ଅଧିକାରୀ ଅରବିନ୍ଦ କୁମାର ଗିରିଙ୍କ କହିବାନୁସାରେ, ପଶୁଙ୍କୁ ରୋକିବା ପାଇଁ ତାରବାଡ଼ରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଘଟଣାରେ ଜମି ମାଲିକଙ୍କ ଭୂମିକା ଓ ସମ୍ଭାବ୍ୟ ଅବହେଳା ନେଇ ତଦନ୍ତ ଚାଲିଛି। ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।



