
ଭୁବନେଶ୍ୱର: ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ରାଜ୍ୟର ତିନି ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏନେଇ ବିଭାଗ ପକ୍ଷରୁ ପୃଥକ୍ ନିର୍ଦ୍ଦେଶନାମା ଜାରି ହୋଇଛି।
ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍ସିର ମେଡିକାଲ ଅଫିସର ଡା. ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପିଏଚ୍ସିର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ଡିଏଚ୍ର ଡା. ସୁପ୍ରକାଶ ଦାସ।
ବିଭାଗୀୟ ସୂଚନା ଅନୁଯାୟୀ, ଡା. ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଂଘନ କରି ସାମାଜିକ ଗଣମାଧ୍ୟମରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଅନଧିକୃତ ମନ୍ତବ୍ୟ ଦେଇଥିବା ଅଭିଯୋଗ ରହିଛି। ଅନ୍ୟ ଦୁଇ ଡାକ୍ତର ବାତ୍ୟା ‘ଅର୍ଣ୍ଣବ’ ସମୟରେ ବିନା ଅନୁମତିରେ ଛୁଟିରେ ରହିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ବେଳେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି।
ଶୃଙ୍ଖଳାଗତ ତଦନ୍ତ ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ ୧୨ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ନିଲମ୍ବନ ଅବଧିରେ ତିନି ଡାକ୍ତରଙ୍କୁ ନିର୍ଦ୍ଧାରିତ ମୁଖ୍ୟାଳୟରେ ରହିବାକୁ ପଡ଼ିବ ଏବଂ ପୂର୍ବ ଅନୁମତି ବିନା ସେମାନେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।



