ଗୋପାଳପୁରରେ ସ୍ଥଳଭାଗ ଛୁଇଁ ଦୁର୍ବଳ ହେଲା ବାତ୍ୟା ଆକଭାନ

ଭୁବନେଶ୍ୱର: ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇଛି ବାତ୍ୟା ଆକଭାନ। ଏହା ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଥିବାବେଳେ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁଥିଲା।
ବାତ୍ୟା ଦୁର୍ବଳ ହେବା ସହ ପବନର ବେଗ ମଧ୍ୟ କମିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ଅନୁସାରେ, ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୭୫ କିଲୋମିଟର ରହିଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ଜାରି ରହିବା ଆଶଙ୍କା ଥିବାରୁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ।
ସେହିପରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କନ୍ଧମାଳ, ରାୟଗଡ଼ା, ଗଜପତି, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ କୌଣସି ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇନାହିଁ। ଶନିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।



