ନିର୍ବାଚନ ଅନିୟମିତତାକୁ ନେଇ ରଣହୁଙ୍କାର, ଦିଲ୍ଲୀରେ ବିରୋଧୀଙ୍କ ବିକ୍ଷୋଭ

ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଆଜି ‘ଗଣତନ୍ତ୍ର ବଞ୍ଚାଅ’ ଆନ୍ଦୋଳନ ଆରମ୍ଭ କରିଛି ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ। ସଂସଦର ମକର ଦ୍ୱାରରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାରେ କଂଗ୍ରେସ ସମେତ ବିଜେଡି, ସମାଜବାଦୀ ପାର୍ଟି ଓ ଟିଏମ୍ସିର ନେତା ଓ ସାଂସଦମାନେ ସାମିଲ ହୋଇଛନ୍ତି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସପା ସାଂସଦ ଅଖିଳେଶ ଯାଦବ ଓ ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସମେତ ବହୁ ନେତା ଏଥିରେ ଯୋଗ ଦେଇଛନ୍ତି।
ନିର୍ବାଚନ ତଥ୍ୟରେ ସ୍ୱଚ୍ଛତା, ନିର୍ବାଚନ କମିଶନଙ୍କ ନିଷ୍ପତ୍ତିର ତଦନ୍ତ, ରାଜନୈତିକ ଦଳଗୁଡ଼ିକୁ ସମୟ ପୂର୍ବରୁ ଭୋଟର ତାଲିକାର ତଥ୍ୟ ପ୍ରଦାନ ଏବଂ ଏସ୍ଆଇଆର୍ରେ ନାଁ କଟିଥିବା ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଭଳି ଦାବି ନେଇ ବିରୋଧୀମାନେ ଆନ୍ଦୋଳନ କରୁଛନ୍ତି। ଏଥିସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।
ସଂସଦରୁ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ଅଭିମୁଖେ ଯାଉଥିବା ବିରୋଧୀ ନେତାମାନଙ୍କୁ ପୁଲିସ ଅଟକାଇଛି। ମୁଖ୍ୟାଳୟଠାରୁ ପ୍ରାୟ ୨୦୦ ମିଟର ଦୂରରେ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଯାଇଛି। ଏହାପରେ ବିରୋଧୀ ନେତାମାନେ ସେଠାରେ ଧାରଣାରେ ବସିଛନ୍ତି।
ସୁରକ୍ଷା ବ୍ୟବସ୍ଥା ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରାୟ ୩ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସଂସଦ, ସଂସଦ ମାର୍ଗ ଓ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କଲେ ବିରୋଧୀ ନେତାମାନଙ୍କୁ ଅଟକ ରଖିବା ପାଇଁ ମଧ୍ୟ ପୁଲିସ ପ୍ରସ୍ତୁତ ରହିଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦେଶର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ବିରୋଧୀ ମେଣ୍ଟ ଯୋଜନା କରିଥିଲେ ମଧ୍ୟ ଏଯାଏ ଅନୁମତି ମିଳିନାହିଁ।



