
ଧାରାପୁରମ: ତାମିଲନାଡୁର ଧାରାପୁରମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ ରବିବାର ତାମିଲଗା ଭେଟ୍ରି କାଝଗମ୍ (TVK) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିଜୟ ରୋଡ୍ ଶୋ’ କରିଛନ୍ତି। ଦଳୀୟ ପ୍ରାର୍ଥୀ ସତ୍ୟବାମାଙ୍କ ସପକ୍ଷରେ ଭୋଟ ମାଗିବା ସହ ସେ ଭୋଟରଙ୍କୁ TVKକୁ ସମର୍ଥନ କରିବାକୁ ଅପିଲ୍ କରିଥିଲେ।
ମାରୁଥି ନଗରରୁ ବିଜୟଙ୍କ ପ୍ରଚାର ଗାଡ଼ି ବାହାରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର TVK କର୍ମୀ ଓ ସମର୍ଥକ ଏକାଠି ହୋଇଥିଲେ। ପ୍ରାର୍ଥୀ ସତ୍ୟବାମା ମଧ୍ୟ ବିଜୟଙ୍କ ସହ ପ୍ରଚାର ଗାଡ଼ିରେ ରହିଥିଲେ। ଉଭୟଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ।
ତିରୁପ୍ପୁର ଜିଲାର ସଂରକ୍ଷିତ ଧାରାପୁରମ ଆସନରେ ଅକ୍ଟୋବର ୬ରେ ମତଦାନ ହେବ। ଏହି ଆସନରେ ମୋଟ ୨୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। TVK, DMK, AIADMK, ନାମ ତାମିଲର କାଚି (NTK) ଓ CPI ମଧ୍ୟରେ ମୁଖ୍ୟତଃ ପଞ୍ଚମୁଖୀ ଲଢ଼େଇ ହେଉଛି।
ମତଦାନ ଦିନ ପାଖେଇ ଆସୁଥିବାରୁ ସମସ୍ତ ଦଳର ପ୍ରାର୍ଥୀ ଓ ସମର୍ଥକମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। ଶେଷ ପର୍ଯ୍ୟାୟରେ ବିଜୟଙ୍କ ରୋଡ୍ ଶୋ’ TVKର ପ୍ରଚାରକୁ ନୂଆ ଗତି ଦେଇଛି।



