ବିରୋଧୀଙ୍କୁ ସମ୍ବିତଙ୍କ କଟାକ୍ଷ, ‘ଜ୍ଞାନେଶ ନୁହେଁ, ଆମ ସହ ଅଛନ୍ତି ଗଣେଶ ଜୀ’

ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ସାଂସଦ ସମ୍ବିତ ପାତ୍ର ବିରୋଧୀଙ୍କ ଅଭିଯୋଗକୁ ଖାରଜ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ କ୍ଷମତାକୁ ଆଣିବା ପାଇଁ ଏକ ଯୋଜନାବଦ୍ଧ ରାଜନୈତିକ ଅଭିଯାନ ଚାଲିଛି। ରାହୁଲଙ୍କୁ ବାରମ୍ବାର ‘ଲଞ୍ଚ ଓ ରିଲଞ୍ଚ’ କରିବାରେ ବିଫଳ ହେବା ପରେ ବିରୋଧୀ ଅରାଜକତା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ବିରୋଧୀଙ୍କ ଆପତ୍ତି ଉପରେ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବାନୁସାରେ, ଜ୍ଞାନେଶ କୁମାର ୧୯ ଫେବ୍ରୁଆରୀ ୨୦୨୫ରେ ସିଇସି ଭାବେ ଦାୟିତ୍ୱ ନେବା ପୂର୍ବରୁ ଭାଜପା ଲୋକସଭା ସମେତ ଅନେକ ନିର୍ବାଚନରେ ବିଜୟୀ ହୋଇସାରିଥିଲା। ଏହି ପ୍ରସଙ୍ଗରେ ସେ କହିଛନ୍ତି, ‘ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ ସାହାଯ୍ୟ କରୁଛନ୍ତି।’
ଫର୍ମ-୬କୁ ନେଇ ଉଠିଥିବା ପ୍ରଶ୍ନରେ ସମ୍ବିତ କହିଛନ୍ତି, ନିର୍ବାଚନ କମିଶନ ଫର୍ମ-୬ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଏହା ସହ ଏକ ଘୋଷଣାପତ୍ର ଯୋଡ଼ାଯାଇଛି ବୋଲି ସେ କହିଛନ୍ତି।
ବ୍ୟାଲଟ୍ ପେପରରେ ନିର୍ବାଚନ ଦାବିକୁ ନେଇ ମଧ୍ୟ ସମ୍ବିତ କଂଗ୍ରେସର ପୂର୍ବ ରେକର୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍ ପ୍ରଚଳନ ପ୍ରସଙ୍ଗରେ ରାଜୀବ ଗାନ୍ଧୀଙ୍କ ସମୟର ଉଦାହରଣ ଦେଇ ସେ କଂଗ୍ରେସକୁ ଘେରିଛନ୍ତି।
ଏଥିସହ ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ ରହିବା ଉଚିତ କି ନାହିଁ ବୋଲି ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିତ। ଦେଶର ଭୋଟର ତାଲିକାରୁ ପ୍ରାୟ ୨.୮ କୋଟି ମୃତ ବ୍ୟକ୍ତିଙ୍କ ନାଁ ହଟାଇବା ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଦିଲ୍ଲୀରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।



