
ନୂଆଦିଲ୍ଲୀ: ସୋଶିଆଲ ମେସେଜିଂ ଆପ୍ ହ୍ୱାଟସଆପ୍ ଓ ଏହାର ମୂଳ କମ୍ପାନୀ ମେଟାରେ ଇସ୍ତଫା ପର୍ବ ଜାରି ରହିଛି। ପୂର୍ବରୁ ଏକାଧିକ ଅଧିକାରୀ ମେଟା ଛାଡ଼ିଥିବା ବେଳେ ଏବେ ହ୍ୱାଟସଆପ୍ର ଇଣ୍ଡିଆନ ପେମେଣ୍ଟ ବିଜନେନ ବା ହ୍ୱାଟସଆପ୍ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମାତ୍ର ୪ ମାସ ତଳେ କମ୍ପାନୀରେ ଯୋଗ ଦେଇଥିଲେ। ହେଲେ ୪ ମାସ ପରେ ସେ ହଠାତ୍ ହ୍ୱାଟସଆପ୍କୁ ବାଏବାଏ କହିଛନ୍ତି।
ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରି ବିନୟ କହିଛି ଯେ, ମୁଁ ମୋର ଆଗାମୀ ଯାତ୍ରାରେ ବାହାରିଛି। ତେବେ ମୋର ବିଶ୍ୱାସ ଯେ, ଭାରତରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ କାରବାରରେ ସଂସ୍କାର ଆଣବା ପାଇଁ ହ୍ୱାଟସଆପ୍ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀ ଶୀର୍ଷରେ ପହଞ୍ଚୁ ବୋଲି ମୁଁ ଦେଖିବାକୁ ଚାହୁଁଛି। ମୋର ଆଶା ସେମିତି ସବୁ କିଛି ହେବ ବୋଲି ସେ କହିଛନ୍ତି। ଏହାର ଅର୍ଥ ବିନୟ ଏବେ ଆଉ କେଉଁ କମ୍ପାନୀରେ କାମ ଆରମ୍ଭ କରିବେ।
ଏହାପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ ମେଟାର ଭାରତ ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଥିଲେ। ଏମାନେ ସମସ୍ତେ ନଭେମ୍ବର ମାସରେ ଇସ୍ତଫା ଦେବାରୁ କମ୍ପାନୀରେ ହଇଚଇ ସୃଷ୍ଠି ହୋଇଥିଲା।