
କଟକ : ଯେତେ ତଦନ୍ତ ହେଉଛି, ସେତେ ନକଲି ଔଷଧ ମିଳୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କଟକ ଓ ଭୁବନେଶ୍ୱରରେ ବିକ୍ରି ହେଉଥିବା ନକଲି ଔଷଧ କେଉଁଠି ତିଆରି ହେଉଛି? ଏବଂ କେଉଁଠୁ ଆସୁଛି । ତା’ର ସୁରାଗ ଖୋଜି ପାଉନି କମିଶନରେଟ୍ ପୁଲିସ୍। ଅନ୍ୟପକ୍ଷରେ ନକଲି ଔଷଧକୁ ନେଇ କଟକ ଡିସିପି ପିନାକୀ ମିଶ୍ର କହିଲେ, ଘଟଣାରେ ଅଲୋକ କୁମାର ମିଶ୍ରା ଓ ହରିଶ କୁମାରଙ୍କୁ ବିହାରର ଗୟାରେ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଗୟାର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ନିଟକରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍ଙ୍କୁ ଅନୁମତିରେ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି ବୋଲି ପିନାକୀ ମିଶ୍ର କହିଛନ୍ତି। ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦୁଇ ଜଣ ଅଭିଯୁକ୍ତ ଅନ୍ୟମାନଙ୍କଠାରୁ ଆଣି ବେପାର କରୁଥିଲେ। ଏହି କାରବାରରେ ବହୁ ଲୋକଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ତଦନ୍ତରେ ବ୍ୟଘାତ ଥିବାରୁ ସେମାନଙ୍କ ନାଁ କୁହାଯିବ ନାହିଁ। ଗିରଫ ଅଭିଯୁକ୍ତମାନେ ଗୟାରେ ବାଲାଜୀ ଏଜେନ୍ସି ଓ ବାଲାଜୀ ଡ୍ରଗ୍ ପଏଣ୍ଟ ଚଲାଉଥିଲେ। ଏହି ଦୁଇଯାକ ଏଜେନ୍ସିର ଡ୍ରଗ୍ସ ଲାଇସେନ୍ସ ଫେକ୍ ଥିଲା। ନକଲି ମେଡିସିନ କେଉଁଠି ତିଆରି ହେଉଛି ସେ ଉପରେ ଖୋଳତାଡ଼ ଚାଲିଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। କଟକ ଓ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ବ୍ଲଡପ୍ରେସର ବଟିକା ଟେଲମା ୪୦ର ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହା ପରେ ଆକ୍ସନ୍ ମୋଡ୍କୁ ଆସିଥିଲା ଡ୍ରଗ୍ସ୍ ଆଣ୍ଡ କଣ୍ଟ୍ରୋଲର ଟିମ୍। ଏହି ଟିମ୍ ବିଶେଷ କରି କଟକ ଓ ଭୁବନେଶ୍ୱରରେ ବହୁ ଔଷଧ ଦୋକାନରେ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପର୍ଯ୍ୟାପ୍ତ ପରିମାଣରେ ନକଲି ଔଷଧ ମିଳିଥିଲା। ଏହା ପରେ ଡ୍ରଗ୍ସ୍ ଆଣ୍ଡ କଣ୍ଟ୍ରୋଲର ଟିମ୍ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।