ପ୍ରେମିକା ପାଇଁ ସୁନା କିଣିବା ବେଳେ ମିଳିଲାନି ଡିସକାଉଣ୍ଟ, ଲୁଟି ନେଲେ ୧ କୋଟିର ଅଳଙ୍କାର

ମୁମ୍ବାଇ: ନିଜ ପ୍ରମିକା ପାଇଁ ସୁନା କିଣିବା ବେଳେ ମିଳିଲାନି ଡିସକାଉଣ୍ଟ। ସୁନା ଦୋକାନୀ ୨୦୦୦ ଟଙ୍କାର ଡିସକାଉଣ୍ଟ ନ ଦେବାକୁ ଅଜବ କାଣ୍ଡ ଘଟାଇଲେ ଜଣେ ୫୨ ବର୍ଷୀୟ ଅଭ୍ୟାସଗତ ଚୋର। ସେ ସୁନା ଦୋକାନୀଙ୍କ ଉପରେ ଡିସକାଉଣ୍ଟର ରାଗ ସୁଝାଇବା ପାଇଁ ଲୁଟି ନେଲେ ୨ କେଜି ଓଜନର ସୁନା ଗହଣା। ଏହାର ମୂଲ୍ୟ ପ୍ରାୟ ୧.୨ କୋଟି ଟଙ୍କା ହେବ। ୫୨ ବର୍ଷୀୟ ବ୍ୟକ୍ତିକୁ ଏହି ଗହଣା ଲୁଟ କରିବାରେ ତା’ର ଦୁଇ ଜଣ ସାଙ୍ଗ ତା’ର ସାଥ ଦେଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କ ପୁଲିସ୍ ଷ୍ଟେସନ ଅଧୀନରେ ଏପରି ଏକ ଘଟଣା ଘଟିଥିବା ବେଳେ କ୍ରାଇମବ୍ରାଞ୍ଚ ୟୁନିଟ୍ ୫ ପୂରା ଘଟଣା ଉପରକୁ ପର୍ଦ୍ଦା ହଟାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ବିନୋଦ ସିଂହ ଓ ତା’ର ଜଣେ ସହଯୋଗୀ ପାରସ ଜୋବାଲିଆ(୫୦) ବର୍ଷୀୟାଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ଲୁଟ ହୋଇଥିବା ସୁନା ମଧ୍ୟ ଜବତ କରାଯାଇଛି। ପୁଲିସ୍ କହିଛି ଯେ ବିନୋଦ ସିଂହ ଜଣେ ଅବିବାହିତ। ସେ ନିଜର ଏଣ୍ଟରଟେନମେଣ୍ଟ ପାଇଁ ଦୈନିକ ବିଭିନ୍ନ ଦୋକାନକୁ ବୁଲିବାକୁ ଯାଏ। ଏହିକ୍ରମରେ ସେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଦାଦର(ପଶ୍ଚିମ)ରେ ଥିବା ପେଡନେକର ଗହଣା ଦୋକାନକୁ ତା’ ଗାର୍ଲଫ୍ରେଣ୍ଡ ପାଇଁ ଅଳଙ୍କାର କିଣିବାକୁ ଯାଇଥିଲା। ନିଜ ପସନ୍ଦର ଅଳଙ୍କାର ଚୟନ କରିବା ପରେ ଦୋକାନୀଙ୍କୁ ବିନୋଦ ୨ ହଜାର ଟଙ୍କାର ଡିସକାଉଣ୍ଟ ମାଗିଥିଲା। କିନ୍ତୁ ଗହଣା ଦୋକାନୀ ରାଜି ହୋଇ ନଥିଲେ। ଏଥିରେ ବ୍ୟକ୍ତି ଜଣକ ରାଗି ଯାଇ ସେ ଦୋକାନରୁ ଚାଲି ଯାଇଥିଲେ। ହେଲେ କିଛି ସମୟ ପରେ ସେ ଓ ତା’ ଦୁଇ ସହଯୋଗୀ ଦୋକାନର ବିଭିନ୍ନ ଅଞ୍ଚଳ ବୁଲି ଯାଞ୍ଚ କରିଥିଲେ। ଅଗଷ୍ଟ ୨୪ରେ ଯେତେବେଳେ ଦୋକାନ ଲଞ୍ଚ ବ୍ରେକ ପାଇଁ ୨ ଘଣ୍ଟା ବନ୍ଦ ରହିଥିଲା ସେତେବେଳେ ଅଭିଯୁକ୍ତମାନେ ପଛପଟେ ଥିବା ୱାଶରୁମ ଗ୍ରୀଲକୁ କାଟି ଏହା ଭିତରେ ପଶିଥିଲେ। ସେମାନେ ତୁରନ୍ତ ୨ କେଜିର ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଦୋକାନ ଆଖପାଖରେ କୌଣସି ସିସିଟିଭି ନଥିବାରୁ ଅଭିଯୁକ୍ତଙ୍କୁ ଧରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କିନ୍ତୁ ଡିଜିଟାଲ ଆସେଟ ମ୍ୟାନେଜମେଣ୍ଟ(ଡିଏଏମ) ତଥ୍ୟ ଓ ଅନ୍ୟ ବୈଷୟିକ ସହାୟତା ଜରିଆରେ ପୁଲିସ୍ ବିନୋଦ ସିଂହକୁ ଚିହ୍ନଟ କରିବାକୁ ସକ୍ଷମ ହୋଇଥିଲା। ତାକୁ ଧରିବା ପରେ ପୁଲିସ୍ ଲୁଟ ଅଳଙ୍କାରକୁ ଠାବ କରିପାରିଥିଲା। ଜେରା ବେଳେ ସେ ଜୋବାଲିଆ ଓ ଦୋକାନ ବାହାରେ ଥିବା ୱାଚମ୍ୟାନଙ୍କ ନାଁ ମଧ୍ୟ କହିଥିଲା। ଚୋରି ବେଳେ ଦୋକାନୀ ଓ ଏହାର କର୍ମଚାରୀଙ୍କ ଉପରେ ନଜର ରଖିବାକୁ ବିନୋଦ ୱାଚମ୍ୟାନ ଜଣଙ୍କୁ କହିଥିଲା। ଦୋକାନରୁ ଚୋରି କରିବା ପରେ ସେ ନିଜ ଘରକୁ ଯାଇଥିଲା। ସେଠାରେ ସବୁ ସୁନା ଅଳଙ୍କାରକୁ ତରଳାଇ ୪ଟି ସୁନା ବିସ୍କୁଟ ତିଆରି କରିଥିଲା। ଏହି ବିସ୍କୁଟକୁ ସେ ବିକ୍ରି କରିବା ପାଇଁ ଜୋବାଲିଆକୁ ଦେଇଥିଲା। ପୁଲିସ୍ ବିନୋଦ ଠାରୁ ଖବର ହାସଲ କରି ୨ କେଜି ଓଜନର ସୁନା ବିସ୍କୁଟ ବିକ୍ରି କରିବାକୁ ଅହମ୍ମଦାବାଦ ଯାଉଥିବା ଜୋବାଲିଆକୁ ଗିରଫ କରିଥିଲା।