ଉତ୍ତରପ୍ରଦେଶର ସହରନପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍କୁ ଚାର୍ଜରେ ଲଗାଇ ଦେଖୁଥିବା ବେଳେ ଜଣେ ମହିଳାଙ୍କୁ ବିଦ୍ୟୁତ୍ ଆଘତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ତାଙ୍କର ଦୁଇ ଶିଶୁ ମଧ୍ୟ ଗୁରୁତର ହୋଇଛନ୍ତି । ପୋଲିସ୍ର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ସ୍ଥାନୀୟ ପୋଲିସ୍ ଅଧିକ୍ଷକ ଅତୁଲ ଶର୍ମା ଏନେଇ କହିଛନ୍ତି ଯେ କୁଣ୍ଡା ନିବାସୀ ଶହଯାଦ ତାଙ୍କ ପରିବାର ସହିତ ଗଙ୍ଗୋହର ମୋହଲ୍ଲା ଇଲାହୀରେ ଘର ଭଡ଼ା ନେଇ ରହୁଥିଲେ । ଶାହଯାଦ ଦେଇଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ତାଙ୍କ ପତ୍ନୀ ଶାହଯାଦି ଏବଂ ତାଙ୍କର ଦୁଇ ଶିଶୁ ଗୋଟିଏ ଖଟରେ ଶୋଇ ମୋବାଇଲ୍ ଦେଖୁଥିଲେ । ଏହି ସମୟରେ ମୋବାଇଲ୍ ଚାର୍ଜିଂ ପ୍ଲଗ୍ରେ ଲାଗିଥିଲା । କିଛି ସମୟ ପରେ ସେମାନଙ୍କୁ ନିଦ ହୋଇଯାଇଥିଲା ।
ବିଳମ୍ୱିତ ରାତ୍ରିରେ ମୋବାଇଲ୍ କିମ୍ୱା ଚାର୍ଜରୁ କରେଣ୍ଟ ସେମାନଙ୍କ ଦେହରେ ଲାଗିଥିଲା । ଫଳରେ ଏପରି ଘଟିଥିବା ସେ କହିଛନ୍ତି । ଅତୁଲ ଶର୍ମା ଏନେଇ କହିଛନ୍ତି ଯେ, ଶାହଯାଦ ଚିତ୍କାର ଶୁଣି ସେମାନଙ୍କ ପାଖକୁ ଯାଇଥିବା ବେଳେ ସେମାନେ ବେହୋସ ଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ସେ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସହରନ୍ ପୁର ରେଫର୍ କରିଦେଇଥିଲେ ଡାକ୍ତର । ସେଠାରେ ତାଙ୍କ ପାତ୍ନୀକୁ ଡାକ୍ତର ମୃତ ଘୋଷିତ କରିଥିବା ବେଳେ ଦୁଇ ଶିଶୁଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।