ଘରକୁ ଫେରୁଥିବା ସମୟରେ ବନ୍ୟାପାଣିରେ ବାଇକ୍ ସହ ଭାସିଗଲେ ଯୁବକ

ଫୁଲବାଣୀ : ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ବାଇକ୍ ସହ ଭାସିଗଲେ ଯୁବକ । ଗତକାଲି ରାତିରେ ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା କନ୍ଧମାଳ ଜିଲ୍ଲା ସାଲୁଙ୍କୀ ନଦୀର ବ୍ରିଜ ଉପରେ ଘଟିଛି ଏଭଳି ଏକ ଘଟଣା । ଏଯାଏ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମିଳିପାରିନି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ ବ୍ରିଜ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଗତ ରାତିରେ ଜଣେ ଯୁବକ ଏହି ବ୍ରିଜ ଅତିକ୍ରମ କରୁଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ବାଇକ୍ ସହିତ ଭାସି ଯାଇଛନ୍ତି । ନଦୀ କୂଳରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏହା ଦେଖିବା ପରେ ଟାଉନ ଥାନା ପୁଲିସ୍କୁ ଖବର ଦେଇଥିଲେ। ସୂଚନା ପାଇ ଟାଉନ ଥାନା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ନଦୀରେ ପହଞ୍ଚି ଭାସି ଯାଇଥିବା ଯୁବକଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଥିଲେ। ମିଳିତ ଟିମ୍ ଗତ ରାତିରେ ନଦୀର କିଛି ଦୂର ପର୍ଯ୍ୟନ୍ତ ଖୋଜାଖୋଜା କରିଥିଲେ ମଧ୍ୟ କିଛି ସନ୍ଧାନ ପାଇ ନ ଥିଲେ। ଏହାପରେ ଆଜି ସକାଳୁ ପୁଣି ନିଖୋଜ ଯୁବକଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାସି ଯାଇଥିବା ଯୁବକଙ୍କ ପ୍ରକୃତ ପରିଚୟ ଏଯାଏ ମିଳିପାରି ନାହିଁ। ତେବେ ଡାକପାଲା ଗ୍ରାମର ଜଣେ ଯୁବକ ରାତିରୁ ନିଖୋଜ ରହିଥିବାରୁ ସେ ନଦୀରେ ଭାସିଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି ।