କଂଗ୍ରେସର ହାତ ଛାଡିବେ କି ହାର୍ଦ୍ଦିକ ପଟେଲ ?

କଂଗ୍ରେସର ହାତ ଛାଡ଼ିଦେବେ ବୋଲି ହାର୍ଦ୍ଦିକ ପଟେଲ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କୁ ମନାଇବାକୁ ଉଦ୍ୟମ ଚାଲିଛି । ଏଥିନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ଦଳର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ହାର୍ଦ୍ଦିକ ପଟେଲଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ ଗୁଜରାଟ କଂଗ୍ରେସର ନେତୃବୃନ୍ଦଙ୍କୁ ତୁରନ୍ତ ହାର୍ଦ୍ଦିକଙ୍କ ସହ ଥିବା ମତଭେଦ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିବା ଦଳର ମହାସଚିବ ରଣଦୀପ ସୁରଜବାଲା ସୂଚନା ଦେଇଛନ୍ତି।ପୂର୍ବରୁ ଦଳ ଛାଡ଼ିବା ନେଇ ପରୋକ୍ଷରେ ସୂଚନା ଦେଇଥିବା ହାର୍ଦ୍ଦିକ ପଟେଲ ଗତ ସୋମବାର ନିଜ ଟ୍ୱିଟର ପେଜରୁ କଂଗ୍ରେସର ପ୍ରୋଫାଇଲ ପିକ୍ଚର ଓ ପାର୍ଟି ଚିହ୍ନ ସମ୍ବଳିତ ଫଟୋ ହଟାଇ ଦେଇଥିଲେ। ଏହାପରେ ହାର୍ଦ୍ଦିକ କଂଗ୍ରେସ ଛାଡ଼ିବା ନେଇ ଚାଲିଲା ସରଗରମ ଆଲୋଚନା । ହେଲେ ରାହୁଲ ଗାନ୍ଧୀ କଥା ହେବା ପରେ ହାର୍ଦ୍ଦିକ ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ନୁହେଁ ପାର୍ଟିର ପ୍ରଦେଶ ନେତୃତ୍ୱ ଉପରେ ଖୁସି ନ ଥିବା ବ୍ୟକ୍ତ କରି ସାରିଛନ୍ତି ହାର୍ଦ୍ଦିକ । ପୂର୍ବରୁ ଗୁଜରାଟ କଂଗ୍ରେସର କିଛି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଯୁବ ନେତା ହାର୍ଦ୍ଦିକ ପଟେଲ ପରେ ସିଧାସଳଖ ହାଇକମାଣ୍ଡଙ୍କୁ ସତର୍କବାଣୀ ଶୁଣାଇଥିଲେ। କିଛି ଦିନ ପୂର୍ବେ ସେ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଏବେ କଂଗ୍ରେସରେ ରହିଛି। କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ଏମିତି ଗୋଟିଏ ରାସ୍ତା ବାହାର କରନ୍ତୁ, ଯାହାଦ୍ୱାରା ମୁଁ ପୂର୍ବଭଳି କଂଗ୍ରେସରେ ରହିବି। ରାଜ୍ୟ କଂଗ୍ରେସରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାର୍ଦ୍ଦିକ ଦଳ ଛାଡ଼ି ଦେଉ ବୋଲି ଚାହୁଁଛନ୍ତି। ସେମାନେ ମୋ ଇଚ୍ଛାଶକ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।” ଏହାପରେ ହାର୍ଦ୍ଦିକଙ୍କ ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିଲା। କିଛି ଦିନ ପୂର୍ବେ ଅନୁଚ୍ଛେଦ ୩୭୦ ହଟାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରୁଥିବା ଭାଜପା ସରକାରର ପ୍ରଶଂସା କରିଥିଲେ ହାର୍ଦ୍ଦିକ ପଟେଲ । ତେଣୁ ସେ କଂଗ୍ରେସ ଛାଡ଼ିଲେ ଭାଜପା କିମ୍ବା ଆମ ଆଦମୀ ପାର୍ଟିରେ ସାମିଲ ହୋଇ ପାରନ୍ତି ବୋଲି ମତ ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ।