
ତୈଳ କମ୍ପାନୀମାନେ ରବିବାର ପୁଣି ଥରେ ପେଟ୍ରୋଲ ଓ ଡିଜେର ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ପ୍ରତି ଲିଟର ୩୫ ଓ ଡିଜେଲ ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏପର୍ଯ୍ୟନ୍ତ ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ତୈଳ କମ୍ପାନୀମାନେ ଗତ ୫୫ ଦିନ ହେଲା ଇନ୍ଧନ ଦର ବୃଦ୍ଧି କରିଚାଲିଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ୮ ଟଙ୍କା ୧୭ ପଇସା ମହଙ୍ଗା ହେଲାଣି।ତୈଳ କମ୍ପାନୀଙ୍କ ଦର ସଂଶୋଧନ ପରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୮ ଟଙ୍କା ୪୬ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୮୮ ଟଙ୍କା ୯୦ ପଇସା ଦରରେ ବିକ୍ରି ହେଉଛି। ଦିଲ୍ଲୀରେ ତୈଳର ଏହା ବେଞ୍ଚମାର୍କ ଦର। ତେବେ ଅନ୍ୟ ରାଜ୍ୟମାନଙ୍କରେ ରାଜ୍ୟ କର ଓ ସ୍ଥାନୀୟ ଶୁଳ୍କର ଭିନ୍ନତା ହେତୁ ମୂଲ୍ୟରେ ତାରତମ୍ୟ ରହିଛି।
ରାଜସ୍ଥାନରେ ଅନେକ ସମୟ ପୂର୍ବରୁ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର ହୋଇ ସାରିଛି। ରାଜ୍ୟର ଶ୍ରୀଗଙ୍ଗା ନଗରରେ ପେଟ୍ରୋଲର ନୂଆ ଦର ଲାଗୁ ପରେ ଏଠାରେ ଲିଟର ପିଛା ଦର ୧୦୯ ଟଙ୍କା ୬୭ ପଇସାକୁ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ ଲିଟର ପିଛା ୧୦୨ଟଙ୍କା ୧୨ ପଇସା ଦରରେ ବିକ୍ରି ହେଉଛି।ତେବେ ଦେଶର ୫ଟି ମେଟ୍ରୋ ସହର ମଧ୍ୟରୁ ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ସର୍ବାଧିକ ୧୦୪ଟଙ୍କା ୫୬ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୬ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି। ଶନିବାର ଓ ରବିବାର ଲଗାତାର ଇନ୍ଧନ ଦର ବୃଦ୍ଧି ପରେ ଏଠାରେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଶନିବାର ତୈଲ କମ୍ପାନୀମାନେ ପେଟ୍ରୋ ଓ ଡିଜେଲର ପମ୍ପ ମୂଲ୍ୟ ପ୍ରତି ଲିଟର ୩୫ ପଇସା ବୃଦ୍ଧି କରିଥିଲେ। ଏଥିରେ ପଞ୍ଜାବ, ବିହାର, କେରଳ ଓ ତାମିଲନାଡୁରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାକୁ ପାର ହୋଇଯାଇଥିଲା।