
ନୂଆଦିଲ୍ଲୀ: ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟକୁ ଘନ ଘନ ଗସ୍ତ କରି ଆଗୁଆ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁଜରାଟରେ ଆମ ଆଦମୀ ପାର୍ଟିର ପ୍ରମୁଖ ଚେହେରା ହେବେ ଯୁବ ନେତା ରାଘବ ଚଢ଼ା। ଆଉ କିଛି ମାସ ପରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ପୂରା ଦମରେ ଲାଗିପଡ଼ିଛି ଆପ୍। ପଞ୍ଜାବ ପରେ ଗୁଜରାଟ ମିଶନ୍ରେ ଥିବା ଆପ୍ ରାଜ୍ୟ ପାଇଁ ଜଣେ ଯୁବ ଏବଂ ଲୋକପ୍ରିୟ ଚେହେରାକୁ ଲଞ୍ଚ କରିବାକୁ ଯୋଜନା କରିଛି। ଏଥିପାଇଁ ଦଳ ରାଘବ ଚଢ଼ା ଉପରେ ଭରସା କରିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ଆପ୍ ପକ୍ଷରୁ ରାଜ୍ୟସଭା ସଦସ୍ୟ ଥିବା ରାଘବ ଚଢ଼ାଙ୍କୁ ଗୁଜରାଟ ମୈଇଦାନରେ ସେନାପତି ଭାବେ ଓହ୍ଲାଇବାକୁ ଯୋଜନା କରିଛି । କାରଣ ପଞ୍ଜାବ ବିଜୟ ପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ରାଘବଚଢ଼ା। ଦଳ ପାଇଁ ଉଭୟ ଦିଲ୍ଲୀ ଏବଂ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି ରାଘବ। ରାଜନୀତିରେ ଯୁବପିଢ଼ିଙ୍କ ମଧ୍ୟରେ ଅତି ଅଳ୍ପ ଦିନରେ ରାଘବ ବେଶ ଲୋପ୍ରିୟ ହୋଇ ପାରିଥିବା ଦଳ ଅନୁଭବ କରିଛି। ତେଣୁ ରାଘବଙ୍କ ଲୋକପ୍ରିୟତାକୁ ଦଳ କାମରେ ଲଗାଇବାକୁ ଯୋଜନା କରୁଛି । ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି। ଦୀର୍ଘ ବର୍ଷ ହେବ ଏଠାରେ କଂଗ୍ରେସ କ୍ଷମତାରୁ ଅପସାରିତ ହୋଇ ବନବାସ ଅବସ୍ଥାରେ ଅଛି। ତେଣୁ ମୋଦିଙ୍କ ହାତକୁ କ୍ଷମତା ଗଲା ପରେ ବିଜେପିର ଗଡ଼ ହୋଇ ରହି ଆସିଛି ଗୁଜରାଟ । କିନ୍ତୁ କିଛି ମାସ ହେଲା କେଜ୍ରିୱାଲ ଘନ ଘନ ଗସ୍ତ କରିବା ରାଜ୍ୟ ରାଜନୀତୀର ପାଣିପାଗକୁ ଚହଲେଇ ଦେଇଛି ।