ଅଧିବେଶନ ପୂର୍ବରୁ ବିରୋଧିଙ୍କୁ କଣ କହିଲେ ମୋଦୀ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

କନ୍ଦା-କଟା ଭଳି ବିଶୃଙ୍ଖଳା ଅଭ୍ୟାସ ପଛକୁ ରଖି ଏବେ ସଂସଦର ସଂକ୍ଷିପ୍ତ କିନ୍ତୁ, ଐତିହାସିକ ବା ସ୍ମରଣୀୟ ଅଧିବେଶନ ଉପରେ ଧ୍ୟାନ ଦେବା ଲାଗି ଆଜି ସଂସଦର ବିଶେଷ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳମାନଙ୍କୁ ନିବେଦନ କରିଛନ୍ତି। ତା’ଛଡ଼ା ଏହି ଅଧିବେଶନ ପାଇଁ ଯଥେଷ୍ଟ ସମୟ ଦେବାକୁ ମଧ୍ୟ ସେ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହା ଏକ ସଂକ୍ଷିପ୍ତ ଅଧିବେଶନ। ଉତ୍ସାହ ଓ ଉଦ୍ଦୀପନାମୟ ପରିବେଶରେ ସେମାନେ ଏହି ଅଧିବେଶନ ପ୍ରତି ଯଥେଷ୍ଟ ସମୟ ଦେବା ଉଚିତ। କନ୍ଦା-କଟା ପାଇଁ ବହୁତ ସମୟ ଅଛି, ପରେ କରିବ। ଜୀବନରେ ଅଳ୍ପ କେତେକ କ୍ଷଣ ଅଛି ଯାହା ତୁମକୁ ଉଦ୍ଦୀପନା ଓ ବିଶ୍ବାସରେ ଭରିଦେବ। ମୁଁ ଏହି ସଂକ୍ଷିପ୍ତ ଅଧିବେଶନକୁ ସେହି ଦୃଷ୍ଟିରେ ଦେଖୁଛି। ଆଗାମୀକାଲି ଗଣେଶ ଚତୁର୍ଥୀ। ଗଣନାଥ ହେଉଛନ୍ତି ବିଘ୍ନନାଶକ। ତେଣୁ, ଭାରତର ବିକାଶ ଯାତ୍ରାରେ ବିଘ୍ନ ଘଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଜାଗାରୁ ନୂଆ ଶକ୍ତି, ନୂଆ ବିଶ୍ବାସ ଆସେ। ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ଦେଶ କରିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିବା। ଏହା ସହ ପୁରୁଣା ସଂସଦ ଭବନକୁ ବିଦାୟ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, ଆମେ ନୂଆ ସଂସଦ ଭବନକୁ ଯାଉଛୁ, କିନ୍ତୁ, ଏହି (ପୁରୁଣା) ଭବନ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେଉଥିବ।