ଓଡ଼ିଶାରେ ୟୁଏଇ ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଦୁବାଇ: ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍ଦୁଲ୍ଲା ବିନ୍ ତୌକ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିଛନ୍ତି। ଏଥିରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଓ ପୁଞ୍ଜିନିବେଶ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି।
ବୈଠକରେ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଶିଳ୍ପ ଭିତ୍ତିଭୂମି ଓ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ମେଟାଲ ଡାଉନଷ୍ଟ୍ରିମ, ସ୍ଲରି ପାଇପ୍ଲାଇନ୍, କ୍ରିଟିକାଲ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ରରେ ନିବେଶ ପାଇଁ ୟୁଏଇ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି।
ଏହାସହ ରାୟଗଡ଼ାର କଲ୍ୟାଣସିଂହପୁରରେ ଆଲୁମିନା ରିଫାଇନେରି ଏବଂ ସୁନ୍ଦରଗଡ଼ ସଦର ତହସିଲରେ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ ଜମି ପ୍ରସ୍ତାବ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ, ଓଡ଼ିଶା ସରକାର ଓ ଇଣ୍ଡିଆନ ବିଜ୍ନେସ୍ ଆଣ୍ଡ୍ ପ୍ରଫେସନାଲ ଗ୍ରୁପ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଅଧୀନରେ ଓଡ଼ିଶାରୁ ହଳଦୀ, ଅଦା ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି, ୟୁଏଇ ବ୍ରାଣ୍ଡ୍ ପାଇଁ ଚୁକ୍ତିଭିତ୍ତିକ ଉତ୍ପାଦନ ଏବଂ ଓଡ଼ିଶାର ଦକ୍ଷ ମାନବସମ୍ବଳ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଆଲୋଚନା ଓଡ଼ିଶା-ୟୁଏଇ ବାଣିଜ୍ୟିକ ସହଯୋଗ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।



