ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ହାଜର ନିର୍ଦ୍ଦେଶ

ପାରଳାଖେମୁଣ୍ଡିର ପୂର୍ବତନ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ହାଜରରୁ ଛାଡ଼ ଦେବାକୁ ମନା କରିଛନ୍ତି ଓଡ଼ିଶା ହାଇକୋର୍ଟ। ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ଟ୍ରାଏଲ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପ୍ରଥମେ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ IPCର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୁଲିସ ବିଦ୍ୟାଭାରତୀଙ୍କ ବିରୋଧରେ ଧାରା ୩୦୪-ଏରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଅଭିଯୋଗକାରୀଙ୍କ ପ୍ରୋଟେଷ୍ଟ ପିଟିସନ୍ ଉପରେ ତଦନ୍ତ ହୋଇ ମାଜିଷ୍ଟ୍ରେଟ୍ ୩୦୨ ଓ ୧୨୦-ବି ଧାରାରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୫ ଜୁଲାଇ ୩ରେ ହାଇକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ।
ବିଦ୍ୟାଭାରତୀଙ୍କ ଓକିଲ କହିଥିଲେ ଯେ ସେ ମୟୂରଭଞ୍ଜର ନୂଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି ଏବଂ ୫୨୪ କିମିରୁ ଅଧିକ ଦୂର ପାରଳାଖେମୁଣ୍ଡିକୁ ବାରମ୍ବାର ଯାତାୟାତ କରି କୋର୍ଟରେ ହାଜର ହେବା କଷ୍ଟକର। ତେବେ ବିପକ୍ଷ ପକ୍ଷ ତାଙ୍କ ଅନୁପସ୍ଥିତି ଯୋଗୁଁ ମାମଲାର ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇଥିଲେ।
ଏହି ପରିସ୍ଥିତିରେ ହାଇକୋର୍ଟ ବର୍ତ୍ତମାନ ପାଇଁ ବ୍ୟକ୍ତିଗତ ହାଜରରୁ ଛାଡ଼ ଦେଇନାହାନ୍ତି। ତେବେ ଆବଶ୍ୟକ ହେଲେ ପରେ ଛାଡ଼ ପାଇଁ ଆବେଦନ କରିବାର ସୁଯୋଗ ରଖିଛନ୍ତି। ଗିରଫ ଆଶଙ୍କା ଥିବାରୁ ଅକ୍ଟୋବର ୧ରେ ଟ୍ରାଏଲ କୋର୍ଟରେ ହାଜର ହୋଇ ଜାମିନ ପାଇଁ ଆବେଦନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ଟ୍ରାଏଲ କୋର୍ଟ ଜାମିନ ନାମଞ୍ଜୁର କଲେ ସେହିଦିନ ସେସନ୍ସ କୋର୍ଟରେ ଆବେଦନ କରିପାରିବେ।



