ଖଡ଼ଗପୁର–ଝାରସୁଗୁଡ଼ା ଚତୁର୍ଥ ରେଳ ଲାଇନକୁ କେନ୍ଦ୍ରର ମଞ୍ଜୁରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୁଧବାର ଓଡ଼ିଶା ସମେତ ୫ଟି ରାଜ୍ୟକୁ ନେଇ ୩ଟି ରେଳ ମାଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ।
ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ଖଡ଼ଗପୁର–ଝାରସୁଗୁଡ଼ା (ବାଗଡ଼େହି) ଚତୁର୍ଥ ଲାଇନ, କଟନୀ–ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ ଏବଂ ବିଳାସପୁର–ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ ରହିଛି। ଏଥିରେ ଖଡ଼ଗପୁର–ଝାରସୁଗୁଡ଼ା ପ୍ରକଳ୍ପ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବ। ଏହାଦ୍ୱାରା ରେଳ ଲାଇନର କ୍ଷମତା ବଢ଼ିବା ସହ ଟ୍ରେନ୍ ଚଳାଚଳରେ ସୁବିଧା, ଭିଡ଼ ହ୍ରାସ ଏବଂ ସେବାର ବିଶ୍ୱସନୀୟତା ବୃଦ୍ଧି ପାଇବ।
ତିନୋଟି ପ୍ରକଳ୍ପ ମିଳିତ ଭାବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲା ଦେଇ ଯିବ ଏବଂ ପ୍ରାୟ ୬୫୬ କିଲୋମିଟର ନୂଆ ରେଳ ଲାଇନ ଯୋଡ଼ିବ। ଏହାଦ୍ୱାରା ପ୍ରାୟ ୪,୭୯୦ଟି ଗାଁର ୫୬ ଲକ୍ଷ ଲୋକ ଉପକୃତ ହେବେ।
‘ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହେବ। ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ରେଳ ସଂଯୋଗ ମଧ୍ୟ ଉନ୍ନତ ହେବ।
କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ ପରି ସାମଗ୍ରୀ ପରିବହନରେ ଏହି ରେଳପଥ ଗୁରୁତ୍ୱପୂର୍ଣ୍ଣ ହେବ। ରେଳବାଇ ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ଦ୍ୱାରା ବାର୍ଷିକ ପ୍ରାୟ ୨.୭ କୋଟି ଟନ୍ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ। ଏଥିସହ ଲଜିଷ୍ଟିକ୍ସ ଖର୍ଚ୍ଚ କମିବା, ତୈଳ ଆମଦାନି ହ୍ରାସ ଓ କାର୍ବନ ନିର୍ଗମନ କମାଇବାରେ ମଧ୍ୟ ଏହା ସହାୟକ ହେବ।



