
୫୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ର କିଙ୍ଗ ଖାନ । ବାଦଶାହ ତଥା ବାଜିଗର ଭାବେ ପରିଚିତ ଶାହରୁଖଙ୍କ ଚାର୍ମ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ରହିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତି ୧୨ଟାରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ମନ୍ନତ ସମ୍ମୁଖରେ ତାଙ୍କ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିିଳିଥିଲା । ଶାହରୁଖ ମଧ୍ୟ ବାହାରକୁ ଆସି ତାଙ୍କ ପ୍ରଶଂସକମାନଙ୍କୁ ଭେଟିଥିଲେ । ଘର ଛାତକୁ ଆସି ପ୍ରଶଂସକ ତଥା ମିଡିଆ ଉଦ୍ଦେଶ୍ୟରେ ହାତ ହଲାଇ ସେମାନଙ୍କୁ ସ୍ୱାଗତ ମଧ୍ୟ କରିଥିଲେ। ନଭେମ୍ବର ମାସ ୨ତାରିଖ ୧୯୬୫ ମସିହାରେ ନୂଆଦିଲ୍ଲୀର ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ ଶାହରୁଖ। ସେ ଏକ ଟେଲିଭିଜନ ଶୋ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ‘ଦୀୱାନା’ ଚଳଚ୍ଚିତ୍ର ମାଧ୍ୟମରେ ସିନେ ଜଗତରେ ପାଦ ରଖିଥିଲେ । ୯୦ ଦଶକରେ ‘ଡର’, ‘ବାଜିଗର’, ‘କୁଛ କୁଛ ହୋତା ହୈ’, ‘ମୋହବତୈଁ’, ‘ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେ’ ପରି ସୁପରହିଟ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ପ୍ରଶଂସକମାନଙ୍କ ପାଇଁ ସେ ବିଭିନ୍ନ ଚ୍ୟାଲେଞ୍ଜିଙ୍ଗ ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଛନ୍ତି । କେବେ ହିରୋ ତ କେବେ ଭିଲେନ, କେବେ ମାନସିକ ବିକୃତ ରୋଗୀ ତ କେବେ ଖେଳ କୋଚ ତ କେବେ ଦେବଦାସ । ତେବେ ଏ ସମସ୍ତ ଭୂମିକାରେ ନିଜ ଅଭିନୟର ପାରଦର୍ଶିତା ଦେଖାଇଆସିଛନ୍ତି । ନିଜ ଅଭିନୟ ଦ୍ୱାରା ଦର୍ଶକ ତଥା ନିଜ ପ୍ରଶଂସକମାନଙ୍କୁ ପ୍ରତ୍ୟେକ ଥର ବିସ୍ମିତ କରି ଆସିଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ କିଙ୍ଗ ଖାନଙ୍କ ‘ଜୱାନ’ ଓ ‘ପଠାନ’ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ତେବେ ଆଗାମୀ ଦିନରେ ରାଜକୁମାର ହିରାନୀଙ୍କ ସହ ତାଙ୍କର ନୂତନ ଚଳଚ୍ଚିତ୍ର ‘ଡଙ୍କି’ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି । ଆଶା କରାଯାଉଛି ଏହି ଚଳଚ୍ଚିତ୍ରଟି ମଧ୍ୟ ସୁପରହିଟ ହେବ।