
ପୁଣି ଯାତ୍ରା ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ତଥା ଯାତ୍ରା କମେଡିଆନ୍ ରବି ଶତପଥୀ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ସମଗ୍ର ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ, ସେ ତାଙ୍କ କ୍ୟାରିୟର ଭିତରେ ୫୦୦ରୁ ଅଧିକ ଯାତ୍ରା ପେଣ୍ତାଲରେ ନାଟକ ପରିବେଷଣ କରିଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ଗାଁର ବାସିନ୍ଦା ହେଉଛନ୍ତି ରବି ଶତପଥୀ । ଚଳିତ ବର୍ଷ ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲା । ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହାପରେ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କେମୋ ମଧ୍ୟ ଦିଆଗଲା । ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିଲାନି । ଯାହା ଫଳରେ ପରିବାର ଲୋକ ଘରକୁ ନେଇଯାଇଥିଲେ। ସେବେଠୁ ଶଯ୍ୟାଶାୟୀ ହୋଇ ଘରେ ରହିଥିଲେ ରବି ଶତପଥୀ। କିନ୍ତୁ ଗତକାଲି( ଶୁକ୍ରବାର) ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ପଦୁ ମହାନ୍ତି ଚରିତ୍ର ତାଙ୍କ ପରିଚୟ ସୃଷ୍ଟି କରିଥିଲେ । ଏହି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହା ପରେ ଅନେକ ଯାତ୍ରାରେ ଅନେକ ଅଭିନୟ କରି ବେଶ୍ ପରିଚିତ ହୋଇଥିଲେ।