Breaking PLUSମୁଖ୍ୟ ଖବରଶିକ୍ଷା

ସିବିଏସ୍‌ଇ ତ୍ରିଭାଷା ନୀତି: ଷଷ୍ଠ ଶ୍ରେଣୀ ପିଲାଙ୍କୁ ଚଳିତ ବର୍ଷ କୋହଳ ପାଇଁ ବିଚାର

ନୂଆଦିଲ୍ଲୀ: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷ ପାଇଁ କିଛି କୋହଳ ଦିଆଯାଇପାରିବ କି ନାହିଁ, ତାହା ବିଚାର କରିବାକୁ ସିବିଏସ୍‌ଇକୁ କହିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି।

ମାମଲାରେ ଅଧିକ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିବ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଛି। ତେବେ ସମ୍ପୃକ୍ତ ଅଧିକାରୀମାନେ ଖଣ୍ଡପୀଠଙ୍କ ପରାମର୍ଶ ଉପରେ ବିଚାର କରିବେ ବୋଲି କୋର୍ଟଙ୍କୁ ଆଶ୍ୱାସନା ଦିଆଯାଇଛି।

ଏହାପୂର୍ବରୁ ଅଗଷ୍ଟ ୨୦ରେ ନବମ ଶ୍ରେଣୀରେ ତିନୋଟି ଭାଷା ଅଧ୍ୟୟନକୁ ବାଧ୍ୟତାମୂଳକ କରିବା ନେଇ ଉପୁଜିଥିବା ସମସ୍ୟାର ସମାଧାନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଥିଲେ। ପିଲାମାନଙ୍କ ଉପରେ ଅନାବଶ୍ୟକ ଚାପ ନ ପଡ଼ିବା ନେଇ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ।

ସିବିଏସ୍‌ଇର ସର୍କୁଲାର ଅନୁଯାୟୀ, ଜୁଲାଇ ୧ରୁ ନବମ ଶ୍ରେଣୀରେ ଅତିକମରେ ଦୁଇଟି ଭାରତୀୟ ଭାଷା ସମେତ ତିନୋଟି ଭାଷା ଅଧ୍ୟୟନ ବାଧ୍ୟତାମୂଳକ ହୋଇଛି। ଏହି ନୀତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମ ପ୍ରଣୟନ ନେଇ ସିବିଏସ୍‌ଇର କ୍ଷେତ୍ରାଧିକାର ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।

Show More

Related Articles

Back to top button