ଝାନସୀ ମେଡିକାଲ କଲେଜର ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, 10 ନବଜାତକଙ୍କ ମୃତ୍ୟୁ
ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ନବଜାତ ୱାର୍ଡ (ଏସଏନସିୟୁ)ରେ ନିଆଁ ଲାଗି ଚିକିତ୍ସାଧୀନ ୧୦ ଶିଶୁଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରୁ ୩୭ ନବଜାତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଅନେକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଡାକ୍ତରଖାନାରେ ନିଆଁ ଲାଗିଥିଲା। ଚିକିତ୍ସାଧୀନ ଥିବା ନବଜାତକଙ୍କ ମଧ୍ୟରୁ କେତେକ ଶ୍ବାସରୁଦ୍ଧ ଓ ଆଉ କେତେକ ପୋଡି ହୋଇ ପ୍ରାଣ ହରାଇଥିଲେ। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ଭାବେ କୁହାଯାଇଛି। ନିଆଁ ଲାଗିବା ପରେ ସତର୍କ ଘଣ୍ଟି ବାଜି ନଥିଲା। ଫଳରେ ଉଦ୍ଧାର କାର୍ୟ୍ୟ ବିଳମ୍ବ ହୋଇଥିଲା। ଜିଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭା କାର୍ୟ୍ୟର ତଦାରଖ କରିଛନ୍ତି। ବିଳମ୍ବିତ ରାତି ପର୍ୟ୍ୟନ୍ତ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବୁନ୍ଦେଲଖଣ୍ଡ ଅଞ୍ଚଳର ପ୍ରସୂତି ଓ ନବଜାତଙ୍କ ଚିକିତ୍ସା ଲାଗି ଏହି ହସ୍ପିଟାଲ ଏକ ପ୍ରମୁଖ ସ୍ବାସ୍ଥ୍ୟସେବା କେନ୍ଦ୍ର।