ରେଳ ବଜେଟରେ ଓଡିଶାକୁ 10,599 କୋଟି

ଭୁବନେଶ୍ୱର,3 ଫେବୃୟାରୀ – ରେଳ ବଜେଟରେ ଓଡିଶାକୁ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର ।ସାଧାରଣ ବଜେଟରେ ରେଲୱେ କ୍ଷେତ୍ର ପାଇଁ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୋମବାର ଏକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୋଦୀ ସରକାରଙ୍କ ତୃତୀୟ ପାଳିର ଦ୍ଵିତୀୟ ବଜେଟରେ ଓଡିଶାକୁ 10,599 କୋଟିର ରେକର୍ଡ ଟଙ୍କାର ଅନୁଦାନ । ଗତ 10 ବର୍ଷରେ ଓଡିଶାରେ ତିଆରି ହୋଇଛି 2046 କିମିର ନୂଆ ରେଳଲାଇନ । ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ଲାଇନ ଠାରୁ ମଧ୍ୟ ଅଧିକ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ ରହିଛି । ଯେଉଁଥିପାଇଁ ଓଡିଶାରେ ଏବେ 78 ହଜାର କୋଟି ଟଙ୍କାର ରେଳବାଇ କ୍ଷେତ୍ରରେ ନୂଆ ନିବେଶ ହୋଇଛି । ବଡ଼ କଥା ହେଉଛି ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ 20 ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ଅମୃତ ଭାରତ ଯୋଜନାରେ 59 ଟି ନୂଆ ରେଳ ଷ୍ଟେସନ କାମ ଚାଲିଛି । ଏବେ ରାଜ୍ୟରେ 6 ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବ ଶୀଘ୍ର ନୂଆ ଟ୍ରେନ ଚାଲିବ । 4 ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ 3 ଲେନ କାମ ଚାଲିଛି ଯେଉଁଥିରୁ କଲିକତାରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ । 6 ବର୍ଷ ଭିତରେ ସରିବ କବଚ ଇନଷ୍ଟଲେସନ କାମ । ଜୁଲାଇ 2024ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡିଶାରେ 1888 କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ 1 ଲକ୍ଷ 54 ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି । 234ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । 2024 ରେ ଓଡିଶା କୁ 10 ହଜାର 586 କୋଟି ଟଙ୍କା ରେଳ ଅନୁଦାନ ମିଳିଥିଲା । 2023ରେ 10 ହଜାର 12 କୋଟି ଟଙ୍କା ବଜେଟରେ ଅନୁଦାନ ମିଳିଥିଲା । ଉପା ସରକାର ସମୟରେ 838 କୋଟି ଟଙ୍କା ମିଳୁଥିଲା । ରାଜ୍ୟରେ 100 ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।