ଓଡ଼ିଶା
ମହାନଦୀରେ ଛଡ଼ାଗଲା ୧୨ ଘଡ଼ିଆଳ, ସଂଖ୍ୟା ପହଞ୍ଚିଲା ୩୫

ଘଡ଼ିଆଳ ସୁରକ୍ଷା ପାଇଁ ଓଡ଼ିଶାରେ ଚାଲିଥିବା ପ୍ରୟାସକୁ ବଡ଼ ସଫଳତା ମିଳିଛି। ସୋମବାର ମହାନଦୀରେ ୧୨ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି, ଯାହା ସହିତ ମୋଟ ସଂଖ୍ୟା ୩୫ରେ ପହଞ୍ଚିଛି।
ଏହି ସମସ୍ତ କୁମ୍ଭୀରଙ୍କ ଦେହରେ ଟ୍ରାକିଂ ଡିଭାଇସ୍ ଲଗାଯାଇଛି, ଯାହା ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ଲଗାତାର ନଜର ରଖାଯିବ। ପୂର୍ବରୁ ଏହି ଘଡ଼ିଆଳମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ସମୟ ଧରି ପାଳନ କରାଯାଇଥିଲା। ପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ମହାନଦୀର ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ସୁନାଖଣିଆ ବିଟ୍ ନିକଟରେ ଛଡ଼ାଯାଇଛି।
୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପ୍ରାକୃତିକ ସନ୍ତୁଳନ ସ୍ଥିର କରିବା ଓ ଘଡ଼ିଆଳମାନଙ୍କ ବଂଶବୃଦ୍ଧି କରିବା। ଏବେ ଏହା ସଫଳତାର ସହ ଆଗକୁ ବଢ଼ୁଛି। ଆରସିସିଏଫ୍ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ଯେ, ଏହି ପଦକ୍ଷେପ ଆଗାମୀ ଦିନରେ ଓଡ଼ିଶାକୁ ଜାତୀୟ ସ୍ତରରେ ବନ୍ୟପ୍ରାଣୀ ସୁରକ୍ଷାରେ ଅଲଗା ପରିଚୟ ଦେବ।



