
ନୂଆଦିଲ୍ଲୀରେ ଆଜିଠୁ ଆରମ୍ଭ ହେଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ସମ୍ମିଳନୀର ଅଧ୍ୟକ୍ଷତା ସହ ଆୟୋଜନ ଦାୟିତ୍ୱ ଭାରତ ନେଇଛି। ବ୍ରିକ୍ସରେ ଭାରତ, ବ୍ରାଜିଲ, ରୁଷ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଇଣ୍ଡୋନେସିଆ ସାମିଲ ଅଛନ୍ତି।
ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସର ପ୍ରାୟ ୧୫ ହଜାର ଯବାନଙ୍କ ସହ ଅର୍ଦ୍ଧସାମରିକ ବଳର ୨୦୦ କମ୍ପାନି ମୁତୟନ ହୋଇଛନ୍ତି। ଏପଟେ ସମ୍ମିଳନୀ ପାଇଁ ନୂଆଦିଲ୍ଲୀକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପଟେଲ ଚୌକ, ୱିଣ୍ଡସର ପ୍ଲେସ୍, ମଣ୍ଡି ହାଉସ୍, ତିନିମୂର୍ତ୍ତି, ଲୋକ କଲ୍ୟାଣ ମେଟ୍ରୋ ଷ୍ଟେସନ୍ ଓ ପିଏମ୍ଓ ଗୋଲଚକ୍କର ସମେତ ବିଭିନ୍ନ ସ୍ଥାନରେ ଆଲୋକସଜ୍ଜା କରାଯାଇଛି। ବ୍ରିକ୍ସର ଲୋଗୋ ଥିବା ଏଲଇଡି ସାଇନ୍ବୋର୍ଡ ଓ ସମ୍ମିଳନୀର ବିଷୟବସ୍ତୁ ଆଧାରିତ ପୋଷ୍ଟର ମଧ୍ୟ ଲଗାଯାଇଛି।

ବିଶ୍ୱ ଶକ୍ତି ଓ ଖାଦ୍ୟ ସୁରକ୍ଷାରେ ଯୋଗଦାନ ପାଇଁ ପ୍ରସ୍ତୁତ ରୁଷ
ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ନୂଆଦିଲ୍ଲୀରେ ବ୍ରିକ୍ସ ବିଜନେସ୍ ଫୋରମ୍କୁ ସମ୍ବୋଧିତ କରି ରୁଷର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବ୍ରିକ୍ସ ଦେଶଗୁଡ଼ିକର ଗତିଶୀଳ ଓ ଶକ୍ତିଶାଳୀ ଘରୋଇ ବଜାରର ଉଲ୍ଲେଖ କରି ସେ କହିଛନ୍ତି, ରୁଷ ବିଶ୍ୱ ଶକ୍ତି ଓ ଖାଦ୍ୟ ସୁରକ୍ଷାରେ ଯୋଗଦାନ କରିବାକୁ ପ୍ରସ୍ତୁତ।
ବିଶ୍ୱ ଏବେ ବଡ଼ ଧରଣର ଗଠନମୂଳକ ପରିବର୍ତ୍ତନ ଦେଇ ଗତି କରୁଥିବା ପୁଟିନ୍ କହିଛନ୍ତି। ପର୍ଯ୍ୟଟନ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ଓ ପଦକ୍ଷେପ ପାଇଁ ରୁଷ ଖୋଲା ରହିଛି ବୋଲି ସେ କହିଛନ୍ତି। ସହଯୋଗୀ ଦେଶଗୁଡ଼ିକ ସହ ମିଶି ଆର୍କଟିକ୍ ପରିବହନ କରିଡର ଓ ଉତ୍ତର-ଦକ୍ଷିଣ ପରିବହନ କରିଡର ଭଳି ନିର୍ଭରଯୋଗ୍ୟ ଯୋଗାଣ ଓ ପରିବହନ ମାର୍ଗ ବିକଶିତ କରିବାକୁ ରୁଷ ପ୍ରସ୍ତୁତ ଥିବା ସେ କହିଛନ୍ତି।
ସ୍ମାର୍ଟ ପ୍ରଯୁକ୍ତି, ମାନବବିହୀନ ପରିବହନ ଓ ମାନବ ସମ୍ବଳ ପ୍ରଶିକ୍ଷଣ ସହ ପ୍ରୟୋଗାତ୍ମକ ଗବେଷଣା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ରୁଷ ଆଗ୍ରହୀ ବୋଲି ପୁଟିନ୍ କହିଛନ୍ତି।
ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଭାରତ ଆସିଥିବା ପୁଟିନ୍ ପଶ୍ଚିମ ଦେଶଗୁଡ଼ିକ ଉପରେ ମଧ୍ୟ ପରୋକ୍ଷ ଭାବେ ନିଶାଣ ସାଧିଛନ୍ତି। କୌଣସି ଦେଶର ନାମ ନନେଇ ସେ କହିଛନ୍ତି, ଅନେକ ସମୟରେ ପ୍ରତିଯୋଗିତା ଏକ ବିକୃତ ରୂପ ଧାରଣ କରିଥାଏ। ସରକାର ଓ ରାଷ୍ଟ୍ରସ୍ତରରେ ମଧ୍ୟ ଏଭଳି ପ୍ରବୃତ୍ତି ଦେଖିବାକୁ ମିଳୁଥିବା ସେ କହିଛନ୍ତି। ଏଥିସହ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ ଲଗାଇଥିବା ବିଭିନ୍ନ କଟକଣାକୁ ମଧ୍ୟ ପୁଟିନ୍ ସମାଲୋଚନା କରିଛନ୍ତି।



