ଲଗାତାର ଭୂକମ୍ପ, ଥରିଲା ଭାରତ ସମେତ ୩ ଦେଶ

ଭାରତର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ଦେଶରେ ଏକାଧିକ ଭୂକମ୍ପ ରେକର୍ଡ ହୋଇଛି। ଲଦାଖ, ଆସାମ ଓ ପଶ୍ଚିମବଙ୍ଗ ସମେତ ତିବ୍ଦତ ଓ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଲଗାତାର ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୨୭ ମିନିଟ୍ରେ ଲେହ-ଲଦାଖରେ ୩.୭ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ର ଭୂପୃଷ୍ଠଠାରୁ ପ୍ରାୟ ୧୨ କିଲୋମିଟର ଗଭୀରରେ ଥିଲା। ହଠାତ୍ ଭୂଇଁ ଥରିବାରୁ ଅନେକଙ୍କ ନିଦ ଭାଙ୍ଗିଯାଇଥିବା ବେଳେ କେତେକ ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।
ଏହାର କିଛି ସମୟ ପରେ, ରାତି ୧ଟା ୨୦ ମିନିଟ୍ରେ ଆସାମରେ ୩.୧ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିଲା। ଏହାର ଗଭୀରତା ପ୍ରାୟ ୩୯ କିଲୋମିଟର ଥିଲା। ସେହିପରି ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ୩.୦ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।
ଭାରତ ବାହାରେ ମଧ୍ୟ ଭୂକମ୍ପ ରେକର୍ଡ ହୋଇଛି। ଭୋର ପ୍ରାୟ ୪ଟା ୨ ମିନିଟ୍ରେ ତିବ୍ଦତରେ ୪.୭ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ପ୍ରାୟ ୩୦ କିଲୋମିଟର ଥିଲା। ପ୍ରାୟ ୧୮ ମିନିଟ୍ ପରେ, ସକାଳ ୪ଟା ୨୦ ମିନିଟ୍ରେ ଆଫଗାନିସ୍ତାନରେ ୩.୫ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିଲା। ଏହାର ଗଭୀରତା ପ୍ରାୟ ୧୬୩ କିଲୋମିଟର ଥିଲା।
ରାତିରୁ ଭୋର ମଧ୍ୟରେ ବିଭିନ୍ନ ଅଞ୍ଚଳରେ ଏଭଳି ଭୂକମ୍ପ ରେକର୍ଡ ହେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ତେବେ ଏପର୍ଯ୍ୟନ୍ତ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ନେଇ କୌଣସି ସୂଚନା ନାହିଁ।



