
ଇନ୍ଦୋର: ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଇନ୍ଦୋର ଉପ-ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆଇନ ଅଧୀନରେ ଆଲୋକ ଶାରଦା ଓ ଅନ୍ୟମାନଙ୍କ ସହ ସମ୍ପୃକ୍ତ ମାମଲାରେ ୧୩ କୋଟି ଟଙ୍କା ମୂଲ୍ୟର ୧୮ଟି ସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରାଯାଇଛି।
ଭୋପାଳ ଆର୍ଥିକ ଅପରାଧ ଶାଖା ରୁଜୁ କରିଥିବା ଦୁଇଟି ଏଫ୍ଆଇଆର୍ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ, ମାନପୁରସ୍ଥିତ ଶାରଦା ୱେୟାରହାଉସ୍ର ମାଲିକ ଆଲୋକ ଶାରଦା ଅନ୍ୟମାନଙ୍କ ସହ ମିଶି ୱେୟାରହାଉସ୍ ରସିଦ ଆଧାରିତ ଋଣ ଯୋଜନାର ଦୁରୁପଯୋଗ କରିଥିଲେ।
ଗୋଦାମରେ ଚାଷୀଙ୍କ ସୋୟାବିନ୍ ଓ ଚଣା ମହଜୁଦ ଥିବା ଦର୍ଶାଇ ଜାଲ୍ ରସିଦ ଜାରି କରାଯାଇଥିଲା। ଏହା ଆଧାରରେ ୪୨ ଜଣ ଚାଷୀଙ୍କ ପାଇଁ ୬୨,୯୬୫ ବସ୍ତା କୃଷିଜାତ ଦ୍ରବ୍ୟ ବିପକ୍ଷରେ ଋଣ ମଞ୍ଜୁର ହୋଇଥିଲା। ପରେ ବନ୍ଧକ ଦ୍ରବ୍ୟକୁ ଅନୁମତି ବିନା ହଟାଇ ବିକ୍ରି କରାଯାଇଥିବା ଇଡି ତଦନ୍ତରେ ଜଣାପଡ଼ିଛି।
ଆଇଡିବିଆଇ ବ୍ୟାଙ୍କର ପ୍ରାୟ ୧୪.୦୪ କୋଟି ଏବଂ କିଷାନ ଧନ ଏଗ୍ରି ଫାଇନାନ୍ସିଆଲ ସର୍ଭିସେସ୍ର ୧୨.୦୪ କୋଟି ଟଙ୍କା ମିଶାଇ ମୋଟ ପ୍ରାୟ ୨୬ କୋଟି ଟଙ୍କାର କ୍ଷତି ହୋଇଥିବା ଇଡି କହିଛି।



