ବିଜୟଙ୍କ ଟିଭିକେକୁ ଇସିଆଇର ରାଜ୍ୟ ଦଳ ମାନ୍ୟତା
ସଂରକ୍ଷିତ ହେଲା ‘ସିଟି’ ଚିହ୍ନ

ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ୍ ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ୍’ (ଟିଭିକେ)କୁ ନିର୍ବାଚନୀ ରାଜନୀତିରେ ବଡ଼ ସଫଳତା ମିଳିଛି। ଭାରତୀୟ ନିର୍ବାଚନ ଆୟୋଗ ତାମିଲନାଡୁ ଓ ପୁଡୁଚେରୀରେ ଟିଭିକେକୁ ‘ରାଜ୍ୟ ଦଳ’ର ମାନ୍ୟତା ପ୍ରଦାନ କରିଛନ୍ତି। ଏହାପରେ ଦଳର ନିର୍ବାଚନୀ ଚିହ୍ନ ‘ସିଟି’ ଉଭୟ ରାଜ୍ୟରେ ଟିଭିକେ ପାଇଁ ସଂରକ୍ଷିତ ହୋଇଛି।
ଇସିଆଇର ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଭୋଟ୍ ପ୍ରତିଶତ ଓ ଆସନ ହାସଲ କରିବା ପରେ ଦଳକୁ ଏହି ମାନ୍ୟତା ମିଳିଛି। ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ୧୦୮ଟି ଆସନ ଜିତିବା ସହ ୩୪.୯୨ ପ୍ରତିଶତ ଭୋଟ୍ ପାଇ ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲା। ପୁଡୁଚେରୀରେ ମଧ୍ୟ ଦଳ ୨ଟି ଆସନ ଦଖଲ କରିଥିଲା।
ମାନ୍ୟତା ମିଳିବା ପରେ ଟିଭିକେ ସଭାପତି ବିଜୟ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ଗଠନର ମାତ୍ର ୨୭ ମାସ ମଧ୍ୟରେ ‘ସିଟି’ ଚିହ୍ନ ପ୍ରତି ଲୋକଙ୍କ ଭରସା ଏବଂ ମିଳିଥିବା ଜନାଦେଶକୁ ସେ ‘ନିରବ ଗଣତାନ୍ତ୍ରିକ ବିପ୍ଲବ’ ବୋଲି କହିଛନ୍ତି।


