ବିଦ୍ୟୁତ୍ ଖୁଣ୍ଟକୁ ପିଟି ଜଳିଗଲା ଡିସିଏମ୍, ଡ୍ରାଇଭରଙ୍କ ସହ ୨୦୦ ଛେଳି ମୃତ

ମହାବୁବନଗର: ତେଲେଙ୍ଗାନାର ମହାବୁବନଗର ଜିଲ୍ଲାରେ ଗୁରୁବାର ଭୋର ସମୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଭୂତପୁର ଗାଁ ନିକଟ ଜାତୀୟ ରାଜପଥ-୪୪ରେ ପ୍ରାୟ ୧୫୦ରୁ ୨୦୦ ଛେଳି ବୋଝେଇ ଏକ ଡିସିଏମ୍ ଗାଡ଼ି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ନିଆଁ ଲାଗିଯାଇଥିଲା। ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ସହ ଗାଡ଼ିରେ ଥିବା ଛେଳିମାନେ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଥିବା ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁସାରେ, ଭୋର ପ୍ରାୟ ୪ଟାରେ ଡିସିଏମ୍ଟି ଛେଳି ନେଇ ଜାତୀୟ ରାଜପଥରେ ଯାଉଥିଲା। ଏହି ସମୟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଧକ୍କା ପରେ ଡିଜେଲ୍ ଟାଙ୍କି ଫାଟିଯାଇ ଚିଙ୍ଗାରିରୁ ଗାଡ଼ିରେ ଭୟଙ୍କର ନିଆଁ ଲାଗିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ନିଆଁ ଦ୍ରୁତଗତିରେ ସମଗ୍ର ଗାଡ଼ିକୁ ଘେରି ନେଇଥିଲା। ଗାଡ଼ି ଭିତରେ ଫସିଥିବା ଛେଳିମାନେ ବାହାରି ନପାରିବାରୁ ଅଧିକାଂଶ ଜୀବନ୍ତ ଜଳିଯାଇଥିଲେ। ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଦୁର୍ଘଟଣାରେ ଡିସିଏମ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ମୋଟ କ୍ଷୟକ୍ଷତି ନେଇ ତଦନ୍ତ ଜାରି ରହିଛି।



