ପାଇଲଟଙ୍କ ଡ୍ରଗ୍ ପରୀକ୍ଷା କଡ଼ାକଡ଼ି, ଜୁଲାଇ ୨୦୨୭ ସୁଦ୍ଧା ସମସ୍ତଙ୍କର ହେବ ପରୀକ୍ଷା

ନୂଆଦିଲ୍ଲୀ: ବିମାନ ଚାଳକଙ୍କ ନିଶାଦ୍ରବ୍ୟ ବ୍ୟବହାର ଉପରେ ନଜର କଡ଼ାକଡ଼ି କରିଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)। ଦେଶର ସମସ୍ତ ବିମାନ କମ୍ପାନୀକୁ ଜୁଲାଇ ୨୦୨୭ ସୁଦ୍ଧା ସମସ୍ତ ପାଇଲଟଙ୍କର ଥରେ ଡ୍ରଗ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ବିମାନ ଚାଳକଙ୍କ ନିଶାଦ୍ରବ୍ୟ ବ୍ୟବହାର ଯାଞ୍ଚ ବ୍ୟବସ୍ଥା ଆହୁରି କଡ଼ା ହେବ।
ଅଗଷ୍ଟ ୪ରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏ-୩୨୦ ବିମାନରେ ଘଟିଥିବା ଗୁରୁତର ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି। ଉଡ଼ାଣ ସମୟରେ ବିମାନର ତିନୋଟି ହାଇଡ୍ରୋଲିକ୍ ବ୍ୟବସ୍ଥାରେ ସାମୟିକ ତ୍ରୁଟି ଦେଖାଦେବା ସହ ବିମାନ ପ୍ରାୟ ୩୦୦ ଫୁଟ୍ ଉଚ୍ଚତା ହରାଇଥିଲା। ପରବର୍ତ୍ତୀ ଯାଞ୍ଚରେ ବିମାନର ପାଇଲଟ୍-ଇନ୍-କମାଣ୍ଡଙ୍କ ନିଶାଦ୍ରବ୍ୟ ପରୀକ୍ଷା ଫଳାଫଳ ‘ନନ୍-ନେଗେଟିଭ୍’ ଆସିଥିଲା।
ଏହି ଘଟଣାକୁ ନେଇ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଏହାକୁ ‘ଗୁରୁତର ଚିନ୍ତାର ବିଷୟ’ ଦର୍ଶାଇ ଡିଜିସିଏକୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସୁପାରିସ କରିଥିଲା। ଏୟାର ଇଣ୍ଡିଆ ମଧ୍ୟ ଏହି ଘଟଣା ପରେ ନିଜ ପାଇଲଟମାନଙ୍କ ପାଇଁ ଏକକାଳୀନ ଡ୍ରଗ୍ ପରୀକ୍ଷା ଆରମ୍ଭ କରିଛି।
ନୂଆ ବ୍ୟବସ୍ଥା ମାଧ୍ୟମରେ ପାଇଲଟଙ୍କ ନିଶାଦ୍ରବ୍ୟ ବ୍ୟବହାର ଯାଞ୍ଚକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ବିସ୍ତାର ପାଉଥିବା ବେଳେ ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପାଇଲଟଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସତର୍କତା ଯାଞ୍ଚ ବ୍ୟବସ୍ଥାକୁ ମଜଭୁତ କରିବା ଉପରେ ଡିଜିସିଏ ଜୋର ଦେଉଛି।



