୨୦୨୫ରୁ ସିବିଏସଇ ଢାଂଚାରେ +2 ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବା କନିଷ୍ଠ ମହାବିଦ୍ୟାଳୟରେ ୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ। ଅବଶିଷ୍ଟ ୮୦ ନମ୍ବର ପରୀକ୍ଷା ସିଏଚଏସଇ ପକ୍ଷରୁ ହେବ। ଉଭୟ ପରୀକ୍ଷା ନମ୍ବରକୁ ଏକତ୍ର କରି ଛାତ୍ରଛାତ୍ରୀଙ୍କୁ ପରିଷଦ ପକ୍ଷରୁ ପୂର୍ଣ୍ଣ ନମ୍ବର ମିଳିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। ସିବିଏସଇ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଇଣ୍ଟରନାଲ ଆସେସମେଣ୍ଟ ଏବଂ ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷା ଦେଉଛନ୍ତି। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଉଛି। ଏହି ପରୀକ୍ଷା ନମ୍ବର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ମିଳିଥାଏ। ପରେ ବୋର୍ଡ ପକ୍ଷରୁ ଥିଓରୀ ପରୀକ୍ଷା କରାଯାଇଥାଏ। ଇଣ୍ଟରନାଲ ଆସେସମେଣ୍ଟ ଏବଂ ବୋର୍ଡ ପରୀକ୍ଷା ମୂଲ୍ୟାୟନ ମାର୍କକୁ ଏକତ୍ର କରି ସିବିଏସଇ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ମାର୍କ ଦେଇଥାଏ। ୨୦୨୫ ପରୀକ୍ଷାରେ ସିଏଚଏସଇ ସିବିଏସଇର ଏହି ଢାଞ୍ଚାକୁ ଆପଣାଇବାକୁ ଯାଉଛି।