
ପଶ୍ଚିମବଙ୍ଗ, ଆସାମ, କେରଳ ଓ ତାମିଲନାଡୁ ସହିତ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି।
ଘୋଷଣା ଅନୁସାରେ ଆସାମ, କେରଳ ଓ ପୁଡୁଚେରୀରେ ଏପ୍ରିଲ୍ ୯ରେ ମତଦାନ ହେବ। ତାମିଲନାଡୁରେ ଏପ୍ରିଲ୍ ୨୩ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସେହିଭଳି ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୨୩ ଓ ୨୯ରେ ମତଦାନ ହେବ।
ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟର ବିଜ୍ଞପ୍ତି ମାର୍ଚ୍ଚ ୩୦ରେ ଓ ଦ୍ୱିତୀୟ ପର୍ଯ୍ୟାୟର ବିଜ୍ଞପ୍ତି ଏପ୍ରିଲ୍ ୨ରେ ପ୍ରକାଶ ପାଇବ।
ତାମିଲନାଡୁର ୨୩୪, ଆସାମର ୧୨୬, କେରଳର ୧୪୦ ଓ ପୁଡୁଚେରୀର ୩୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସମସ୍ତ ରାଜ୍ୟର ଭୋଟ୍ ଗଣତି ଆସନ୍ତା ମେ’ ୪ ତାରିଖରେ କରାଯିବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୨୪ଟି ବିଧାନସଭା ଆସନରେ ପ୍ରାୟ ୧୭.୪ କୋଟି ମତଦାତା ମତାଧିକାର ପ୍ରୟୋଗ କରିବେ। ଏହା ପାଇଁ ୨.୧୯ ଲକ୍ଷ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ ଓ ପ୍ରାୟ ୨୫ ଲକ୍ଷ ନିର୍ବାଚନ କର୍ମଚାରୀ ନିୟୋଜିତ ହେବେ।



