ଗ୍ୟାଷ୍ଟ୍ରାଇଟିସ୍ ଓ ତାର ଉପକାର
ପେନ୍କିଲର ଓ ଗ୍ୟାଷ୍ଟ୍ରାଇଟିସ ବିଭିନ୍ନ ପ୍ରକାରର ବ୍ୟଥା କମାଇବା ପାଇଁ ମାଂସପେଶୀ ଟାଣ ରଖିବା ପାଇଁ କିମ୍ବା ଜ୍ୱର କମାଇବା ପାଇଁ ଆମେ କିଛି ନା କିଛି ପେନ୍କିଲର ବ୍ୟବହାର କରିଥାଉ । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଯେତେବେଳେ ଇଛା ପେନ୍କିଲର ବ୍ୟବହାର କରିବା ଦ୍ୱାରା ପାକସ୍ଥଳୀର ଉପରି ଭାଗ ସ୍ତର କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ଅନେକ ସମୟରେ ମସଲ ଲେୟାର କ୍ଷତିଗ୍ରସ୍ତ ହୋଇଥାଏ

ମସଲ ଲେୟାର କ୍ଷତିଗ୍ରସ୍ତ ହେଲେ ଏଥିରେ ଥିବା ବ୍ଲଡ ଭେସେଲସ୍ ଫାଟି ପାକସ୍ଥଳୀରେ ବ୍ଲିଡିଂ ଆରମ୍ଭ ହୁଏ । ଅନେକ ସମୟରେ ଭିତରେ ଭିତରେ ବ୍ଲିଡିଂ ହେଉଥାଏ ଯାହା ଫଳରେ ପେଟରେ ଖୁବ୍ ବ୍ୟଥା ହେବା ସାଙ୍ଗକୁ ବାନ୍ତି ଲାଗେ। ପୁଣି ଅନେକ ସମୟରେ ଏହି କାରଣରୁ ରକ୍ତବାନ୍ତି ହୋଇଥାଏ । ଚୁଡ଼ା-ମୁଢ଼ି ଭଳି ପେନ୍କିଲର ଖାଇବା ଦ୍ୱାରା ପ୍ରଥମେ ଅମ୍ଳ, ବଦ ହଜମ ହୋଇ ଗ୍ୟାଷ୍ଟ୍ରାଇଟିସ ହୁଏ । ଏଭଳି ଭାବେ ଅନେକ ଦିନ ଚାଲିଲେ ଅଲସର ହେବାରେ ଆଶଙ୍କା ବଢ଼ିଯାଏ । ଅଲସରରେ ଅସହ୍ୟ ଯନ୍ତ୍ରଣା ହୁଏ । ଯେଉଁମାନେ ଦୀର୍ଘଦିନ ଧରି ବ୍ୟଥା କମାଇବା ଔଷଧ ଖାଇଥାନ୍ତି ସେମାନେ ପେପ୍ଟିକ ଅଲସର ଭୋଗନ୍ତି । ପେନ୍କିଲର ସହିତ ଆଂଟାସିଡ୍ ଖାଇଲେ ପାକସ୍ଥଳୀରେ ହାଇଡ୍ରୋକ୍ଲୋରିକ ଏସିଡ଼ର କ୍ଷରଣ କମିଯାଏ । ହାଇଡ୍ରୋକ୍ଲୋରିକ୍ ଏସିଡ଼ର କ୍ଷରଣ କମ ହେଲେ ଗ୍ୟାଷ୍ଟ୍ରାଇଟିସ ଆଶଙ୍କା ମଧ୍ୟ କମିବ । ତେଣୁ ଡାକ୍ତରମାନେ ପେନ୍କିଲର ସହିତ ଆଂଟାସିଡ୍ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ଗ୍ୟାଷ୍ଟ୍ରାଇଟିସ କ’ଣ : ଗ୍ୟାଷ୍ଟ୍ରାଇଟିସରେ ବିଭିନ୍ନ କାରଣରୁ ପେଟ ଦରଜ, ଅସ୍ୱସ୍ତି ଲାଗେ । ବାନ୍ତି ଲାଗେ । ଏତିକି ନୁହେଁ ଖାଇବାର ଇଛା ବି କମିଯାଏ । ଛାତି ଜଳାପୋଡା କରେ । ମୁଣ୍ଡ ଭାରି ଭାରି ଲାଗିବା ସାଙ୍ଗକୁ ଅସମୟରେ ନିଦ ଲାଗେ । କାମ କରିବା ପାଇଁ ଇଛା ହୁଏନାହିଁ । କିଛି କିଛି କ୍ଷେତ୍ରରେ ଗ୍ୟାଷ୍ଟ୍ରାଇଟିସ ଅଲସର ହୋଇ ଷ୍ଟୋମାକ୍ କ୍ୟାନସର ହୋଇପାରେ । ଆକୁ୍ୟଟ୍ ଗ୍ୟାଷ୍ଟ୍ରାଇଟିସରେ ହଠାତ୍ ପେଟର ଉପର ଅଂଶରେ ବ୍ୟଥା ଆରମ୍ଭ ହୁଏ । କ୍ରନିକ ଗ୍ୟାଷ୍ଟ୍ରାଇଟିସ୍ରେ ଟିକେ ଖାଇଲେ ପେଟ ଭାରି ଭାରି ଲାଗି ଭୋକ କମିଯାଏ । ତେବେ କିଛି ଲୋକଙ୍କ କ୍ଷେତ୍ରରେ ଏସବୁ ଲକ୍ଷଣ ଦେଖାଯାଏନାହିଁ । ଅବସ୍ଥା ଗୁରୁତର ହେଲେ ଷ୍ଟୋମାକରେ ବ୍ଲିଡିଂ ଭଳି ସମସ୍ୟା ଉପୁଜେ । ଅତିରିକ୍ତ ଆଲକହଲ, ପେନ୍କିଲର ଖାଇବାରେ ପାକସ୍ଥଳୀରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ଇନ୍ଫେଶନ ହୋଇ ଗ୍ୟାଷ୍ଟ୍ରାଇଟିସ ଆରମ୍ଭ ହୁଏ । ଅନେକ ସମୟରେ ବଡ଼ ଅପରେସନ କିମ୍ବା ଆଘାତଜନିତ କାରଣରୁ ଗ୍ୟାଷ୍ଟ୍ରାଇଟିସ୍ ସମସ୍ୟା ଦେଖାଯାଏ । ଅଟୋଇମୁ୍ୟନ୍ ଡିଜଅର୍ଡ଼ର, ପର୍ନିସିୟସ୍ ଆନିମିଆ ଭଳି କିଛି ଶାରୀରିକ ସମସ୍ୟାରେ ମଧ୍ୟ ଗ୍ୟାଷ୍ଟ୍ରାଇଟିସ ହୁଏ ।
ଲକ୍ଷଣ : ଭୋକ କମିଯାଏ, ବାନ୍ତି ବାନ୍ତି ଲାଗେ, ମୁଣ୍ଡ ଭାରି ଭାରି ଲାଗେ । ମୁଣ୍ଡ ଝିମ୍ ଝିମ୍ ଲାଗିବା ସାଙ୍ଗକୁ ନିଦୁଆ ଲାଗେ । ତଳିପେଟରେ ବ୍ୟଥା, ଅପର ଆବଡ଼ୋମେନରେ ବର୍ଣ୍ଣିଂ ପେନ୍ । ପାଟିର ସ୍ୱାଦ ଖରାପ ହୋଇଯାଏ । ଖାଇବା ପରେ ପେଟ ଉପର ଅଂଶ ଭାରି ଲାଗେ । ପେଟ ମୋଡ଼ି ହେଲା ଭଳି ଲାଗେ । ଜିଭ ଉପରେ ଧଳା ଆସ୍ତରଣ ପଡ଼ିଯାଏ । କ୍ରନିକ୍ ଗ୍ୟାଷ୍ଟ୍ରାଇଟିସ ସମସ୍ୟା ଥିଲେ କନ୍ଷ୍ଟିପେସନ ଭଳି ସମସ୍ୟା ଦେଖାଯାଏ । ଓଜନ କମିବାରେ ଲାଗେ । ଡିପ୍ରେସନ ବଢ଼ିବାରେ ଲାଗେ । କେତେବେଳେ ଡାକ୍ତରଙ୍କୁ ଦେଖାଇବା ଜରୁରୀ । ବଦ ହଜମ, ପେଟରେ ଅସ୍ୱସ୍ତି ଏକ ସପ୍ତାହରୁ ଅଧିକ ସମୟ ଲାଗି ରହିଲେ ଡାକ୍ତରଙ୍କୁ ଦେଖାଇବା ଜରୁରୀ । ବିଶେଷ କିଛି ଔଷଧ ଖାଇବା ପରେ ପେଟ ବ୍ୟଥା ହେଲେ ଡାକ୍ତରଙ୍କୁ ନିଶ୍ଚିତ ଭାବେ ଜଣାଇବେ । ମଳରେ ରକ୍ତ ପଡ଼ିଲେ ବା ବାନ୍ତିରେ ରକ୍ତ ପଡ଼ିଲେ ଡାକ୍ତର ଦେଖାଇବାରେ ଡେରି କରିବେ ନାହିଁ । ବୟସ୍କମାନଙ୍କ ଗ୍ୟାଷ୍ଟ୍ରାଇଟିସ ବେହାର ଆଶଙ୍କା ଅଧିକ । କାରଣ ବୟସ ବଢ଼ିବା ସହିତ ଷ୍ଟୋମାକ୍ ଲାଇନିଂ ପତଳା ହେବାକୁ ଲାଗେ । ବୟସ୍କମାନଙ୍କ ଏଚ୍ ପାଇଲୋରି ଇନ୍ଫେକ୍ଶନ କିମ୍ବା ଅଟୋ ଇମୁ୍ୟନ ଡିଜଅର୍ଡ଼ର ହେବାର ଆଶଙ୍କା ଅଧିକ ।
ଚିକିତ୍ସା : ମାଇଲ୍ଡ ଗ୍ୟାଷ୍ଟ୍ରାଇଟିସ ଚିକିତ୍ସା ପାଇଁ ସାଧାରଣତଃ ଟ୍ୟାବଲେଟ ବା ଲୁକୁ୍ୟଇଡ ଆଂଟାସିଡ ଦିଆଯାଏ । ଆଂଟାସିଡରେ ବ୍ୟଥା ନ କମିଲେ ଡାକ୍ତର ଔଷଧ ଦିଅନ୍ତି । ପାକସ୍ଥଳୀ ଯେଉଁ ପରିମାଣର ଏସିଡ଼ ସୃଷ୍ଟି କରେ ତାହା କମେ । ଏଚ୍ ପାଇଲୋରି ଇନ୍ଫେସନ କମାଇବା ପାଇଁ ଆଂଟି ବାୟୋଟିକ୍ ଦିଆଯାଏ । ଡାକ୍ତରଙ୍କ ପରାମର୍ଶ ମାନିବା ସହିତ ନିୟମିତ ଔଷଧ ସେବନ କଲେ ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିଥାଏ । ସେହିପରି ଏଚ୍ ପାଇଲୋରି ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବେ ନିର୍ମୂଳ ହୋଇଛି କି ନାହିଁ ଜାଣିବା ପାଇଁ ଡାକ୍ତର ପୁଣି ଥରେ ବିଭିନ୍ନ ପ୍ରକାର ପରୀକ୍ଷା କରିପାରନ୍ତି ।