କାନାଡାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ
ତାପମାତ୍ରା ଛୁଇଁଲା ୫୦ ଡିଗ୍ରି ସେଲସିୟସ୍, ବିଭିନ୍ନ ସ୍ଥାନରେ ୧୩୪ଜଣଙ୍କ ମୃତ୍ୟୁ

ଭାରତ ସମେତ ଏବେ ବିଶ୍ୱର ଅନେକ ଦେଶରେ ଗ୍ରୀଷ୍ମ ଋତୁ। ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ କେତେକ ଦେଶରେ ଲୋକେ ମରିବାକୁ ବି ଲାଗିଲେଣି। କାନାଡାରେ ଗ୍ରୀଷ୍ମ ଏବେ ଉତ୍କଟ ହୋଇଥିବା ବେଳେ ଦିନର ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ସେଲସିୟସ୍କୁ ପହଞ୍ଚିଛି। ଲୋକେ ଖରାରେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ରାଜଧାନୀ ଭାନକୋଭରରେ ହେଉଥିବା ମୃତ୍ୟୁକୁ ଏବେ ଗ୍ରୀଷ୍ମ ସହ ଯୋଡି ଦେଖାଯାଉଛି।କାନାଡାରେ ଗ୍ରୀଷ୍ମ ପ୍ରବାହ ଏବେ ଦୈନିକ ନୂଆ ରେକର୍ଡ କରୁଛି। ଲଗାତାର ୩ ଦିନ ଗ୍ରୀଷ୍ମ ପ୍ରବାହରେ ଭାଙ୍କୋଭରରେ ୧୩୪ଜଣଙ୍କ ମୃତ୍ୟୁ ହୋଇଥିବା ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ କହିଛି।
ଲିଟନରେ ଦିନର ସର୍ବାଧିକ ତାପମାତ୍ରା ୪୯.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଲିଟନ ରାଜଧାନୀ ଭାନକୋଭରରୁ ପୂର୍ବଦିଗରେ ପ୍ରାୟ ୨୫୦ କିଲୋମିଟର ଦୂରରେ ଅବସ୍ଥିତ।ପୋଲିସ ସୂଚନା ଅନୁସାରେ ଭାନକୋଭରରେ କେବେବି ଅତ୍ୟାଧିକ ଗରମ ପଡେନି। ହେଲେ ଚଳିତବର୍ଷର ଗ୍ରୀଷ୍ମ ସମସ୍ତ ରେକର୍ଡ ଭାଙ୍ଗିଛି। ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ପୋକମାଛି ପରି ମରୁଥିବା ଜନୈକ ପୋଲିସ ଅଧିକାରୀ କହିଛନ୍ତି। ଗତ ଶୁକ୍ରବାର ଭାନକୋଭର ସହରରେ ଅଚାନକ ୧୩୪ ଲୋକ ପ୍ରାଣ ହରାଇଥିଲେ। ଅତ୍ୟାଧିକ ଗରମ ସହି ନପାରିବା ଯୋଗୁ ଲୋକେ ମୃତ୍ୟୁମୁଖରେ ପଡିଥିବା ପୋଲିସ ସର୍ଜେଣ୍ଟ ଷ୍ଟିଭ ଏଡିସନ କହିଛନ୍ତି।